ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବାବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି । ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି । ଶୁକ୍ରବାର ଏଭଳି କିଛି କଥା କହି ବିଜେପି ଉପରେ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।
ସେ କହିଛନ୍ତି, ରାଜ୍ୟରେ ରେକର୍ଡ ପରିମାଣରେ ଧାନ ଉତ୍ପାଦନ ହୋଇଥିବାବେଳେ ଠିକଣା ଭାବେ ଧାନ ସଂଗ୍ରହ ହୋଇଛି । ଏଥିପାଇଁ ଲକ୍ଷାଧିକ ଚାଷୀମାନେ ମଧ୍ୟ ଉପକୃତ ହେଉଛନ୍ତି । ୨୦୧୮-୧୯ ବର୍ଷରେ ୬୫.୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଏବାବଦରେ ଚାଷୀଙ୍କୁ ମୋଟ ୧୧,୪୦୦ କୋଟି ଟଙ୍କା ପଠାଯାଇଛି । ସେହିପରି ୨୦୧୯-୨୦ ବର୍ଷରେ ୭୦.୫୬ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଏବାବଦରେ ଚାଷୀଙ୍କ ଖାତାକୁ ୧୨, ୮୦୮ କୋଟି ଟଙ୍କା ଦିଆଯାଇଥିଲା । ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଅଖା ଧାନକୁ ସଂଗ୍ରହ କରିବା ପାଇଁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲିି ଶ୍ରୀମୟୀ କହିଛନ୍ତି ।
ଏହାସହ ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ ଖରିଦ କରିଚାଲିଥିବାବେଳେ ବିଜେପି ଏବେ ଦଲାଲଙ୍କ ପାଇଁ ଓକିଲାତି କରୁଛି । ଦିଲ୍ଲୀରେ କୃଷକମାନେ ଚଳାଉଥିବା ପ୍ରଦର୍ଶନରୁ ନଜର ହଟାଇବା ପାଇଁ ରାଜ୍ୟ ବିଜେପି ଏଭଳି ଡ୍ରାମା କରୁଛି ବୋଲି ସେ କହିଛନ୍ତି । ବିଜେଡି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ସହିତ ଚାଉଳ ସଂଗ୍ରହ ଓ ସବସିଡି ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି ।