ନୂଆଦିଲ୍ଲୀ: ଆଜି ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀର କରିଅପ୍ପା ଗ୍ରାଉଣ୍ଡରେ ଭବ୍ୟ ପରେଡର ଆୟୋଜନ କରାଯାଇଥିଲା । ଏଥିରେ ସ୍ଥଳସେନା ପ୍ରମୁଖ ଏମ୍. ଏମ୍. ନରଓ୍ଵଣେ ପରଡେର ସଲାମି ନେବା ସହ ସୈନ୍ୟଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେନାର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି । ସ୍ଥଳସେନା ଦିବସରେ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ।
ତେବେ ସେନା ମୁଖ୍ୟ ଏମ୍. ଏମ୍. ନରଓ୍ଵଣେ କର୍ତ୍ତବ୍ୟରେ ଥାଇ ସହିଦ ହୋଇଥିବା ଯବାନମାନଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା ବିବାଦରେ ତ୍ୱରିତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୨୦କୁ ଆହ୍ଵାନ ଏବଂ ସୁଯୋଗ ଭରା ବର୍ଷ ବୋଲି କହିଛନ୍ତି ସେନାମୁଖ୍ୟ |ଏତଦ ବ୍ୟତୀତ ସେନାମୁଖ୍ୟ କହିଛନ୍ତି ଦେଶର ନିରାପତ୍ତା ଓ ଆଞ୍ଚଳିକ ଅଖଣ୍ଡତା ଅକ୍ଷୁଣ୍ଣ ରଖିବା ଲାଗି ଭାରତୀୟ ସେନା ସଦା କାର୍ଯ୍ୟରତ ।
ଭାରତ-ଚୀନ୍ ନିୟନ୍ତ୍ରଣ ରେଖା ବିବାଦ ପ୍ରସଙ୍ଗରେ ସେ କହିଲେ, ଆମର ସାହସୀ ଅଧିକାରୀ, ଜେସିଓ ଏବଂ ଯବାନମାନେ ଶତ୍ରୁକୁ କଡ଼ା ଜବାବ ଦେଇଛନ୍ତି। ଭାରତୀୟ ସେନାର ସର୍ବୋଚ୍ଚ ପରାମ୍ପରା ବଜାୟ ରଖି ଅନେକ ଆତ୍ମବଳି ଦେଇଛନ୍ତି। ବାସ୍ତବ ନିୟନ୍ତ୍ରଣ ରେଖା ବିବାଦ ଘଟଣାରେ ତ୍ୱରିତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେନାକୁ ପ୍ରଶଂସା କରି ସେ ପୁଣି କହିଛନ୍ତି, ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦ ସମାଧାନ କରିବା ନିମନ୍ତେ ଦୃଢ଼ପରିକର ରହିବା ସହ ବାସ୍ତବ ନିୟନ୍ତ୍ରଣ ରେଖା ସ୍ଥିତାବସ୍ଥାକୁ ଏକଚାଟିଆ ଭାବେ ପରିବର୍ତ୍ତନ କରାଯାଇଥିବା ଉଦ୍ୟମକୁ ପ୍ରତିରୋଧ କରିବା ଲାଗି ଭାରତୀୟ ସେନା ତ୍ୱରିତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେଇଛି।
ଆତଙ୍କବାଦ ବିରୋଧରେ ନିରବଚ୍ଛିନ୍ନ ଅଭିଯାନ ଚଳାଇବା ସହ କୋଭିଡ୍-୧୯ ମହାମାରୀ ସମୟରେ ଭାରତୀୟ ସେନାର ସେବା ପ୍ରସଙ୍ଗ ମଧ୍ୟ ସେନା ମୁଖ୍ୟ ନରଓ୍ଵଣେ ଉଲ୍ଲେଖ କରିଛନ୍ତି। ସହିଦ ଯବାନଙ୍କ ପ୍ରତି ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ ବିପିନ ରାଓ୍ଵତ୍ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।