ଝାରସୁଗୁଡା: ଆଜିଠାରୁ ଝାରସୁଗୁଡାରୁ ବେଙ୍ଗାଲୁରୁ ଓ ମୁମ୍ବାଇକୁ ଉଡିବ ବିମାନ। ଏହି ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାର ଲୋକଙ୍କ ନିକଟରେ ଖୁସି ପ୍ରକାଶ ପାଇଛି । ପ୍ରଥମ ବିମାନ ଉଡାଣ ପାଇଁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସ୍ପାଇସ ଜେଟ୍ ବୋଇଂ -୭୩୭, ସପ୍ତାହକୁ ୪ ଦିନ ଏହି ବିମାନ ଚାଲିବ । ଆଜି ପ୍ରଥମ ଫ୍ଲାଇଟ ମୁମ୍ବାଇରୁ ବାହାରି ଝାରସୁଗୁଡାରେ ଦିନ ସାଢେ ୧୨ ଟାରେ ପହଞ୍ଚିବ । ଝାରସୁଗୁଡାରେ ଅଧଘଣ୍ଟା ରହଣି ପରେ ଏହି ବିମାନ ବେଙ୍ଗାଲୁରୁ ପାଇଁ ଦିନ ଗୋଟାଏରେ ଉଡାଣ ଭରିବ ।
ସେହିଭଳି ବେଙ୍ଗାଲୁରୁ ରୁ ଆସି ଝାରସୁଗୁଡାରେ ଏକ ବିମାନ ସନ୍ଧ୍ୟା ୫ ଟା ୪୦ ମିନିଟରେ ପହଞ୍ଚିବ ଏବଂ ସନ୍ଧ୍ୟା ୬ ଟା ୧୦ ମିନିଟରେ ଝାରସୁଗୁଡାରୁ ମୁମ୍ବାଇକୁ ଉଡିବ । ଆଜି ବିମାନଟି ମୁମ୍ବାଇରୁ ଝାରସୁଗୁଡା ଆସିବା ପରେ ବିମାନରେ ଯାଉଥିବା ଯାତ୍ରୀଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯିବ । ଆଜି ପ୍ରଥମ ଦିନରେ ବେଙ୍ଗାଲୁରୁ ପାଇଁ ୮୦ ପ୍ରତିଶତ ଓ ମୁମ୍ବାଇକୁ ୫୦ ପ୍ରତିଶତ ଟିକେଟ ବୁକିଂ ହୋଇଥିବା ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ।