ଝାରସୁଗୁଡ଼ା: ନିଆଁରେ ପୋଡି ୪ ଗୁରୁତର। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ହରିଓମ୍ ବିହାରରେ ଗତରାତିରେ ଏହିଭଳି ଅଭାବନୀୟ ଘଟଣା ଘଟିଯାଇଛି। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୪ ଜଣ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା, ତାଙ୍କ ପୁଅ, ବିବାହିତା ଝିଅ ଓ ୯ ବର୍ଷୀୟା ନାତୁଣୀ ଅଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବ୍ରଜରାଜନଗର ହରିଓମ୍ ବିହାରରେ ବୃଦ୍ଧାଜଣକ ନିଜ ପୁଅ, ଭାଇ ଓ ଚାକର ସହ ରୁହନ୍ତି। କିଛି ଦିନ ହେବ ତାଙ୍କ ଝିଅ ନାତୁଣୀ ସହ ବାପଘରକୁ ବୁଲି ଆସିଥିଲେ। ଗତ ରାତିରେ ଘରର ମେନ୍ ଗେଟ୍ ସମେତ ଭିତର ପଟୁ କବାଟ ବନ୍ଦ କରି ସମସ୍ତେ ଶୋଇଥିଲେ। ତଳ ମହଲାରେ ବୃଦ୍ଧା ନିଜ ପୁଅ, ଝିଅ ଓ ନାତୁଣୀଙ୍କ ସହ ଶୋଇଥିବା ବେଳେ ଉପର ମହଲାରେ ତାଙ୍କ ଭାଇ ଓ ଘରର ଚାକର ଶୋଇଥିଲେ। ହେଲେ ଭୋର ୪ଟାରେ ହଠାତ୍ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତଳ ମହଲାରେ ଶୋଇଥିବା ୪ ଜଣ ଗୁରୁତର ହୋଇପଡ଼ିଥିଲେ।ଯାହାଫଳରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା , ପରେ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି ।
ନିଆଁ ଲାଗିବାର କାରଣ ଜଣା ପଡ଼ିନାହିଁ। ସକାକୁ ଖବରପାଇ ସ୍ଥାନୀୟ ଲୋକେ ପହଞ୍ଚି ପାଣି ଓ ବାଲି ଫୋପାଡ଼ି ନିଆଁକୁ ଆୟତ୍ତ କରିଥିଲେ।ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।