ଭୁବନେଶ୍ୱର : ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ ଭୟ । ତେଣୁ ରାଜ୍ୟବାସୀ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ବାର୍ଡ ଫ୍ଲୁ ସତର୍କତା ରିଭ୍ୟୁ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆମ ରାଜ୍ୟରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏ ଯାଏଁ ରାଜ୍ୟରେ ୧୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ହେଲେ କୌଣସି ସ୍ଥାନରେ ପଜିଟିଭ ମାମଲା ସାମ୍ନାକୁ ଆସିନି । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ । ତେବେ ଜିଲ୍ଲାପାଳଙ୍କୁ ରାପିଡ ରେସପନ୍ସ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଅନ୍ୟ ରାଜ୍ୟରେ ବାର୍ଡ ଫ୍ଲୁ ଭୟ ବଢୁଥିବାବେଳେ ଏହାକୁ ନେଇ ଆଗୁଆ ସତର୍କତା ଅବଲମ୍ବର କରିଛନ୍ତି ରାଜ୍ୟ ସରକାର ।
ଦେଶର ୫ଟି ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ବା ପକ୍ଷୀ ମଡ଼କ ଆତଙ୍କ ସୃଷ୍ଟି କରିଛି । ଗତ କିଛି ଦିନ ମଧ୍ୟରେ ବାର୍ଡ ଫ୍ଲୁ କାରଣରୁ ହଜାର ହଜାର ସଂଖ୍ୟାରେ ପକ୍ଷୀ ପ୍ରାଣ ହରାଇଛନ୍ତି । ସେନେଇ ଦକ୍ଷିଣ ଭାରତରୁ କୁକୁଡ଼ା ମାଂସ ଆମଦାନି ଉପରେ ରୋକ୍ ଲଗା ଯାଇଛି । ବାର୍ଡ ଫ୍ଲୁ ସଂକ୍ରମଣକୁ ନେଇ ବିଭିନ୍ନ ରାଜ୍ୟ ଆଲର୍ଟରେ ଅଛନ୍ତି । ତେବେ ବାର୍ଡ୍ ଫ୍ଲୁ କେବଳ ଭାରତ ନୁହେଁ ୟୁରୋପର ୧୦ଟି ଦେଶରେ ମଧ୍ୟ ବ୍ୟାପିଛି । ଏଭଳି ପରିସ୍ଥିତିରେ ରାଜ୍ୟରେ ବାର୍ଡ ଫ୍ଳୁ ସତର୍କତା ମୂଳକ ପଦକ୍ଷେପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।