କୋରାପୁଟ : ସୀମା ଟପିଲା ବର୍ବରତା | ଚା’ ଦେବାରେ ବିଳମ୍ବ ହେବାରୁ ରାଗିଲେ ପୋଲିସ୍ ବାବୁ। ରାଗ ଉପରେ ନିୟନ୍ତ୍ରଣ ହରାଇ ବୃଦ୍ଧାଙ୍କ ପିଠିରେ ଢ଼ାଳି ଦେଲେ ଗରମ ଚାହା । ହାବିଲଦାରଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ବୃଦ୍ଧା। କୋରାପୁଟ ଜିଲ୍ଲା ଦାମନଯୋଡି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୁଣି ଅଭିଯୋଗ ହୋଇଛି ଯେ, ହାବିଲଦାର ଜଣଙ୍କ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇଛନ୍ତି ।
ସୂଚନାନୁଯାୟୀ, ବୃଦ୍ଧା ଜଣଙ୍କ ଚାହା ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ସବୁଦିନ ଦିନ ଭଳି ହାବିଲଦାର ସାରଥୀ ହୋତା ତାଙ୍କ ଦୋକାନାକୁ ଚା’ ପିଇବାକୁ ଯାଇଥିଲେ। ଅନ୍ୟ ଗ୍ରାହକମାନଙ୍କୁ ଚାହା ଦେବା ବେଳେ ବୃଦ୍ଧାଙ୍କୁ ହାବିଲଦାର ଚା’ ମାଗିଥିଲେ। ମାତ୍ର ଚାହା ଦେବାରେ ବିଳମ୍ବ କାରଣରୁ ହାବିଲଦାର ଜଣଙ୍କ ରାଗି ଯାଇ ବୃଦ୍ଧାଙ୍କ ପିଠିରେ ଗରମ ଚା’ ଢ଼ାଳି ଦେଇଥିଲେ। ଯାହାଫଳରେ ବୃଦ୍ଧାଙ୍କ ପିଠିରୁ ଚମଡ଼ା ଉଠି ଯାଇଥିଲା। ତେବେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।