କଟକ : ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ମାହାଙ୍ଗା ପୋଲିସ । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ଅଭିଯୁକ୍ତଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି । ଗତ ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।
ସୂଚନାନୁଯାୟୀ, ଗତ ୨ ତାରିଖରେ ସାଲେପୁର ବିଜେପି ପ୍ରଭାରୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣୀ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏଥିସହ ତାଙ୍କ ସହଯୋଗୀ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ଦିବ୍ୟସିଂହଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ଦିନରେ ୨ଜଣଙ୍କୁ ହତ୍ୟା କରାଯାଇଛି । ତେବେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରିବ ରାଜ୍ୟ ବିଜେପି । ଅଭିଯୁକ୍ତଙ୍କ ଗିରଫଦାରି ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିବ ଦଳ । ଏପରିକି ବିଜେପି ନେତାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ୪୮ ଘଣ୍ଟାର ଡେଡଲାଇନ ଦେଇଛି ବିଜେପି । ଯଦି ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ ।
ସେହିଭଳି ରାଜ୍ୟ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ । ରାଜନୈତିକ ହିଂସାକାଣ୍ଡ ପ୍ରତିବାଦରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବସଭବନ ଘେରାଉ କରିବ ଛାତ୍ର କଂଗ୍ରେସ । ସେପଟେ ଯୁବ କଂଗ୍ରେସ ପକ୍ଷରୁ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ରହିଛି ।