Odia News Portal

ଉଦଘାଟିତ ହେଲା ରାମଲିଙ୍ଗେଶ୍ୱର ପାର୍କ

ବ୍ରହ୍ମପୁର: ବ୍ରହ୍ମପୁରରେ ଉଦଘାଟିତ ହୋଇଛି ବହୁ ପ୍ରତିକ୍ଷିତ ରାମଲିଙ୍ଗେଶ୍ୱର ପାର୍କ। ଶହେ ବର୍ଷ ପୁରୁଣା ପୋଖରୀ ପଙ୍କ କାଦୁଅରେ ଭର୍ତ୍ତି ହୋଇ ରହିଥିଲା ଏହି ଜଳାଶୟ। ତେବେ ଗତ ୪ ବର୍ଷ ଧରି ଏହାର ପୁନଃରୁଦ୍ଧାର ପରେ ଏବେ ଏହାକୁ ମିଳିଛି ନୂତନ ପରିଚୟ । ୮ ଏକର ଜମିରେ ସାଢ଼େ ୧୨ କୋଟି ଟଙ୍କା ଖର୍ଚ୍ଚରେ ସହରର ମଧ୍ୟଭାଗରେ ଥିବା ଏହି ପୋଖରୀରେ ଏବେ ଏକ ନୂତନ ଜଳାଶୟ ସହ ଉଦ୍ୟାନ ସୃଷ୍ଟି ହୋଇଛି। ଚିତ୍ତାକର୍ଷକ ଆତସବାଜି, ଲେଜର ଲାଇଟ୍‌ ଓ ଏକ ସଂଗୀତମୟ ପରିବେଶ ମଧ୍ୟରେ ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ୱର ଜଳାଶୟ । ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଦ୍ୱାରା ଏହି ଉଦ୍ୟାନର ଉଦଘାଟନ କରିଛନ୍ତି।

ସୋମବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ବ୍ରହ୍ମପୁର ବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାମଲିଙ୍ଗେଶ୍ୱର ଜଳାଶୟର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ଏହି ପବିତ୍ର ଜଳାଶୟର ଜଳକୁ ପରିଷ୍କାର ରଖିବା ଏବଂ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ବାସୀଙ୍କୁ ଆହ୍ୱାନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଗତ କିଛି ବର୍ଷ ତଳେ ଏହି ଜଳାଶୟର ଅବସ୍ଥା କଣ ଥିଲା ଏବଂ ବର୍ତ୍ତମାନ ଏହା କେଉଁଠି ପହଞ୍ଚିଛି । ଏହା ହେଉଛି ପରିବର୍ତ୍ତନ, ରୂପାନ୍ତରଣ । ରାମଲିଙ୍ଗେଶ୍ୱର ଜଳାଶୟ ଓ ପାର୍କ ଆଜି ଗଞ୍ଜାମର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଏହା ଆଜି ସମ୍ଭବ ହୋଇପାରିଛି, ବ୍ରହ୍ମପୁରର ଜନସାଧାରଣଙ୍କ ସମର୍ଥନ ଓ ସହଯୋଗ ଯୋଗୁଁ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଗଞ୍ଜାମ ଆଜି ସାରା ଦେଶ ପାଇଁ ରୋଲ ମଡେଲ ହୋଇପାରିଛି । ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବରେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି । ବ୍ରହ୍ମପୁରରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ଭାବରେ ଆଗେଇ ଚାଲିଥିବା ବେଳେ ସହର ପାଇଁ ୪୨ କୋଟି ଟଙ୍କା ବ୍ୟୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଂ ରୋଡ୍ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ରଖିଛି । ବ୍ରହ୍ମପୁର ତଥା ଗଞ୍ଜାମର ବିକାଶ ଉପରେ ମୁଁ ସବୁବେଳେ ତୀକ୍ଷ୍ଣ ନଜର ରଖିଛି । ବ୍ରହ୍ମପୁରକୁ ଏକ ସୁନ୍ଦର ତଥା ଆଧୁନିକ ସହର ଭାବରେ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ତେବେ ଗଞ୍ଜାମର ପୂର୍ବତନ ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀ ଏବଂ ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ରାଠୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।