ମାହାଙ୍ଗା : ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଜୋରଦାର ପ୍ରତିବାଦ କରିବ ବିଜେପି । ଆସନ୍ତାକାଲି ଠାରୁ ବିଜେପି ଯୁବମୋର୍ଚ୍ଚା ନେତୃତ୍ୱରେ ଘେରାଉ କରାଯିବ ସମସ୍ତ ଥାନା । ୬ ତାରିଖରେ ସମସ୍ତ ଏସ୍ପି ଅଫିସ ଓ ୮ରେ ଡିଜି ଅଫିସ ଘେରାଉ କରିବ ବିଜେପି ଦଳ । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି-“ପ୍ରତିହିଂସା ପରାୟଣ ହୋଇ ବିଜେଡି ହତ୍ୟା କାଣ୍ଡ ଭିଆଇଛି। ନବୀନ ସରକାର ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଛନ୍ତି। ଆଗରୁ ଅନ୍ୟ ରାଜ୍ୟରେ ହେଉଥିଲା, ଏବେ ଓଡ଼ିଶାରେ ଘଟୁଛି। ବିଜେପି ଚୁପ ବସିବ ନାହିଁ। ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ କରିବ। ପୁଲିସର ଦାୟିତ୍ୱହୀନତା ପାଇଁ ଏଭଳି ବିକ୍ଷୋଭ ଓ ଘେରାଉ କରାଯିବ।”
ରବିବାର ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ବାଇକରେ ଘରକୁ ଫେରିଥିଲେ। ଗାଁଠାରୁ ଅଳ୍ପ ଦୂରରେ ତାଙ୍କୁ ହତ୍ୟା କରାଯାଇଥିଲା। ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିବାରୁ ବିଜେଡି କର୍ମୀମାନେ ତାଙ୍କୁ ହତ୍ୟା କରିଥିବା ବିଜେପି ଅଭିଯୋଗ କରିଛି। ଏପରିକି ଏଥିରେ ସ୍ଥାନୀୟ ବିଧାୟକ ତଥା ଆଇନ୍ ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ହୋଇଛି।