ଭୁବନେଶ୍ୱର : ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଡକ୍ଟର ଏସ୍. ମୁରଲୀଧର । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଷ୍ଟିସ୍ ମୁରଲୀଧରଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ପାଠ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ଅଭୟ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଗୃହ ବିଭାଗ ସଚିବ, ହାଇକୋର୍ଟର ବରିଷ୍ଠ ବିଚାରପତିମାନେ ଉପସ୍ଥିତ ଥିଲେ ।
ତେବେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ନବ ନିଯୁକ୍ତ ମୁଖ୍ୟ ବିଚାରପତି । ଭୁବନେଶ୍ୱର ପହଞ୍ଚିବା ପରେ ରାଜ୍ୟ ଅତିଥି ଭବନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସୁପ୍ରିମକୋର୍ଟ କଲିଜିୟମ୍ ଡିସେମ୍ବର ୧୪ ତାରିଖରେ ଜଷ୍ଟିସ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ସୁପାରିସ କରିଥିଲେ । ୧୬ ତାରିଖରେ ଏହି ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଡକ୍ଟର ଜଷ୍ଟିସ୍ ଏସ୍.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଜଷ୍ଟିସ୍ ଡକ୍ଟର ଏସ୍.ମୁରଲୀଧର ୧୯୮୪ରେ ଚେନ୍ନାଇଠାରେ ଆଇନ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୮୭ରେ ଦିଲ୍ଲୀକୁ ସ୍ଥାନାନ୍ତର ହୋଇ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଓକିଲାତି କରିଥିଲେ ।