ଭୁବନେଶ୍ୱର : ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହେଲେ ଅପରାଜିତା ଷଡଙ୍ଗୀ। ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏକ ସର୍ଭେ ପରେ ସେ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି ସାଂସଦ ଅପରାଜିତା । ତେବେ ଘୋଷଣା ପରେ ସାଂସଦ ଅପରାଜିତାଙ୍କ ନିକଟକୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ ।
ସର୍ବଶ୍ରେଷ୍ଠ ସାଂସଦ ବିବେଚିତ ହେବା ପରେ ଟ୍ୱିଟରରେ ନିଜେ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା ।ସେ କହିଛନ୍ତି ଲୋକଙ୍କ ପାଇଁ ଗତବର୍ଷ ସେ କରିଥିବା କାମର ଏହା ହେଉଛି ପୁରସ୍କାର, ଯାହାକି ତାଙ୍କୁ ଅନେକ କିଛି ଶିଖାଇବ । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ତେବେ ଏହା ପୂର୍ବରୁ ଅପରାଜିତା ୨୦୧୨ରେ ଶକ୍ତି ସମ୍ମାନ ପୁରସ୍କାର ପାଇଥିଲେ। ସେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଜଏଣ୍ଟ ସେକ୍ରେଟେରୀ ଭାବେ କାମ କରିଥିଲେ ।
ଏଥିସହିତ ଭୁବନେଶ୍ୱର ମ୍ୟୁନିସିପାଲ କମିଶନର ଭାବେ ୨୦୦୬ରୁ ୨୦୦୯ ଦାୟିତ୍ୱ ତୁଲାଇ ଥିଲେ। ୫୧ ବର୍ଷୀୟା ସାଂସଦ ଅପରାଜିତା ଷଡଙ୍ଗୀ ୧୯୯୪ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ୍। ତେବେ ୨୦୧୮ ନଭେମ୍ବର ୨୭ରେ ଅପରାଜିତା ଭାରତୀୟ ପ୍ରଶାସନିକ ସେବା ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।