Odia News Portal

ଲୋ ରିସ୍କ କୋଠା ପାଇଁ ଆବଶ୍ୟକ ନାହିଁ ଅନୁମତି

ଭୁବନେଶ୍ୱର: ଗୃହ ନିର୍ମାଣ ଅନୁମତି ପାଇଁ ଏବେ ଆଉ ଧାଇଁବାକୁ ପଡ଼ିବନି ବିଡିଏ କାର୍ଯ୍ୟାଳୟ । ନିଜ ଜମିର ଲେଆଉଟ୍ ଅନୁମତି ନେଇଥିବା ବ୍ୟକ୍ତି ସିଧା ଘର ନିର୍ମାଣ କରିପାରିବେ । ଲୋ ରିସ୍କ କୋଠା ପାଇଁ ଆଉ ବିଲଣ୍ଡିଂ ପ୍ଲାନ ମଂଜୁରୀର ଆବଶ୍ୟକତା ପଡିବ ନାହିଁ । ସର୍ବାଧିକ ୧୦ମିଟର ଉଚ୍ଚତା ଓ ୫ହଜାର ୪ଶହ ବର୍ଗ ଫୁଟ ବିଶିଷ୍ଟ କୋଠା ନିର୍ମାଣ ପାଇଁ ପ୍ଲାନ ମଂଜୁରୀ ଦରକାର ନାହିଁ । ବିଡିଏ ୱେବସାଇଟରେ ୧୦୪ଟି ଅନୁମୋଦିତ ବିଲଣ୍ଡଂ ପ୍ଲାନ ରହିଛି । ଏଥିରୁ ଘର ମାଲିକ ମନପସନ୍ଦର ପ୍ଲାନ ଚୟନ କରିପାରିବେ । ବିଡିଏ, ବିଏମସି ଓ ହାଉସିଂ ବୋର୍ଡର ଅନୁମୋଦନ ପାଇଥିବା ପ୍ଲାନ ନେଲେ କେବଳ ଅନଲାଇନରେ ଦେୟ ଦେଇ ପ୍ଲାନ ନେଇପାରିବେ । ‘ଡବ୍ଲୁଡବ୍ଲୁଡବ୍ଲୁ ଡଟ ଭୁବେନଶ୍ୱର ଡଟ ମି’ ରେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ ।

ବିଡିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଲୋ-ରିସ୍କ କୋଠା ନିମନ୍ତେ ବିଲିଡିଂ ପ୍ଲାନର ଆବଶ୍ୟକତା ନାହିଁ। ଲୋ-ରିସ୍କ କୋଠା ନିମନ୍ତେ ବିଡିଏ ପକ୍ଷରୁ ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ଜାରି ହୋଇଛି। ଏହି ପ୍ଲାନ ଅନ୍ତର୍ଗତ ଗୃହନିର୍ମାତା ୨୪୦୦ବର୍ଗଫୁଟ୍ ସାଇଜ୍ ପର୍ଯ୍ୟନ୍ତ ଜମିରେ ଏହି ଲୋ-ରିସ୍କ କୋଠା ନିର୍ମାଣ କରିପାରିବ। ତେବେ ଏହି କୋଠାର ଉଚ୍ଚତା ୧୦ମିଟରରୁ କମ୍ ଓ ସର୍ବାଧିକ ୧୬୫୦ ବର୍ଗଫୁଟର ନିର୍ମାଣ ଅଂଚଳ ଏବଂ କୋଠାରେ ବେସମେଣ୍ଟ ନଥିବା ଜରୁରୀ। ଗୃହ ନିର୍ମାଣ ପାଇଁ ୧୦୦ଟି ଷ୍ଟାଣ୍ଡାର୍ଡ ପ୍ଲାନ ପ୍ରସ୍ତୁତ କରିଛି BDA। ସେହି ୧୦୦ଟି ପ୍ଲାନ୍‌ ଭିତରେ ୧୦ ମିଟରର କମ୍‌ ଉଚ୍ଚତା ବିଶିଷ୍ଟ ୩ ମହଲା ଘର ଓ ୫ ହଜାର ୪ଶହ ବର୍ଗ ଫୁଟ ଭିତରେ ର୍ନିମାଣ କରୁଥିବା ଘର ପାଇଁ ଆଉ ଅନୁମତିର ଆବଶ୍ୟକତା ରହିବ ନାହିଁ। କିନ୍ତୁ ଲେ’ ଆଉଟ ପ୍ଲାନ୍‌ ଗ୍ରହଣ ହୋଇଥିବା ବାଧ୍ୟତାମୂଳକ। ଏବେ କେବଳ ବିଏମ୍‌ସି ଓ ବିଡିଏକୁ ନିଜ ଜମିର କାଗଜ ପତ୍ର ,ପରିଚୟ ପତ୍ର ଏବଂ ଆବଶ୍ୟକ ଫି’ ଦେଇ ଗୃହକର୍ତ୍ତା ଅବଗତ କରିବେ।

ଏହାସହିତ ଘର ନିର୍ମାଣ କରିବାକୁ ଚାହୁଁଥିବା ବ୍ୟକ୍ତି ବିଡିଏ ୱେବସାଇଟକୁ ଯାଇ ତାଙ୍କର ପ୍ଲଟଟିର ସ୍ଥିତି(ଏନଓସି ଆବଶ୍ୟକ କି ନାହିଁ)କୁ ଯାଂଚ କରିନେବାର ଆବଶ୍ୟକତା ରହିଛି। ଯଦି ଏହା ଇକୋ-ସେନସେଟିଭ୍ ଜୋନ, ଏଏସଆଇ ସଂରକ୍ଷିତ ଅଂଚଳ, କଟକଣା ଓ ନିୟନ୍ତ୍ରିତ ଅଂଚଳ,ବିମାନ ବନ୍ଦର ପ୍ରାଧିକରଣଙ୍କ ଜୋନିଂ ମ୍ୟାପ ଅଂଚଳ ଅନ୍ତର୍ଗତ ରହିଛି କି ନାହିଁ ଯାଂଚ କରିବା ଜରୁରୀ। ଯଦି ସେଭଳି ଅଂଚଳରେ ପ୍ଲଟ୍ ଥାଏ ତା’ହେଲେ ଘର ନିର୍ମାଣ କରିବା ପାଇଁ ବିଡିଏଠୁ ପୂର୍ବ ଅନୁମତି(ଅନାପତ୍ତି ପ୍ରମାଣପତ୍ର) ଜରୁରୀ ବୋଲି ବିଡିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।