ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିବା ଆରମ୍ଭ କରିଛି ବ୍ରିଟେନ ଷ୍ଟ୍ରେନ । ବ୍ରିଟେନରୁ ଭାରତ ଆସିଥିବା ୨୦ ଜଣଙ୍କ ଶରୀରରେ ଏହି ନୂଆ ଷ୍ଟ୍ରେନର ଲକ୍ଷଣ ପ୍ରକାଶ ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ବର୍ତ୍ତମାନ ନୂଆ ଷ୍ଟ୍ରେନରେ ୨୦ ଜଣ ସଂକ୍ରମିତ ହୋଇଛନ୍ତି । ଏହି ଷ୍ଟ୍ରେନ ଭାରତ ସମେତ ସ୍ପେନ, ସ୍ୱିଡେନ, ସ୍ୱିଜରଲାଣ୍ଡ ଭଳି ୧୪ଟି ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି ।
ସମସ୍ତ ବ୍ରିଟେନ ଫେରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ । ଗତ ଏକ ମାସ ମଧ୍ୟରେ ବ୍ରିଟେନରୁ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଭାରତ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଶହେରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇସାରିଛନ୍ତି ।ତେବେ ସମସ୍ତ ପଜିଟିଭଙ୍କୁ ଆଇସୋଲସନରେ ରଖାଯାଇଛି । ସେପଟେ ଭାରତରୁ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ କଟକଣା ଲାଗିଛି । ୟୁକେରୁ ଯାତାୟତ କରୁଥିବା ବିମାନ ଉଡ଼ାଣ ଉପରେ ଜାନୁଆରୀ ୭ ପର୍ଯ୍ୟନ୍ତ ରୋକ ଲଗାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି । ବ୍ରିଟେନରେ ନୂଆ ଷ୍ଟ୍ରେନ କରୋନାକୁ ନେଇ ଏହି କଟକଣା ଜାରି କରାଯାଇଛି ।