Odia News Portal

ଲେଖାଶ୍ରୀଙ୍କୁ ଏଲିନାଙ୍କ କଡ଼ା ଜବାବ

ଭୁବନେଶ୍ୱର: ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣକୁ ନେଇ ବିଜେପି ଆପତ୍ତି ଉଠାଇବା ପରେ କାଉଣ୍ଟର ଆଟାକ କରିଛି ବିଜେଡି। ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ଉଠାଇଥିବା ଅଭିଯୋଗ ଉପରେ ବିଜେଡି ନେତ୍ରୀ ଏଲିନା ଦାସ ଜବାବ ରଖିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ସତ୍ୱେ ରାଜ୍ୟ ସରକାର ଓବିସି ବର୍ଗ ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ପଦକ୍ଷେପ କାହିଁକି ନେଉନାହାନ୍ତି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ, ମୋଦି ସରକାର ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିବା ପାଇଁ ଆଇନ ପ୍ରଣୟନ କରିଥିଲେ ମଧ୍ୟ ରାଜ୍ୟସରକାର ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି । ତେବେ ଦେଖିବାକୁ ଗଲେ ଓଡିଶାର ସମସ୍ତ ସରକାରୀ ସ୍କୁଲରେ ଅଧିକାଂଶ ଓବିସି ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ପରିବାରର ପିଲାମାନେ ମାନେ ହିଁ ପାଠ ପଢୁଛନ୍ତି । ଏ ସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୦ ମସିହା ଜାନୁଆରୀ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରାଜ୍ୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଥିଲେ ।

ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ବିଶେଷ ଅଧିବେଶନ ଡାକି ବିଲ୍ ପାସ କରି ଉପରୋକ୍ତ ଦୁଇଟି ବର୍ଗରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଡ. ସାମନ୍ତସିଂହାର ଦାବି କରିଛନ୍ତି ।ତେବେ ଲେଖାଶ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଏଲିନା ଦାଶ କହିଛନ୍ତି ଯେ, ସବୁ ମହଲରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରାଯାଉଛି । ହେଲେ ଆଶ୍ଚର୍ଯ୍ୟ କଥା, ବିଜେପି ପରି ଜାତୀୟ ଦଳ ଏହାକୁ ବିରୋଧ କରୁଛି । ଏଭଳି ବିଚାର ଗୋଟିଏ ଜାତୀୟ ଦଳର ହୋଇନପାରେ, ଏହା ଲେଖାଶ୍ରୀଙ୍କ ବ୍ୟକ୍ତିଗତ ମତ ହୋଇଥାଇ ପାରେ ବୋଲି ଏଲିନା କହିଛନ୍ତି ।

ଏଲିନା ଆହୁରି ମଧ୍ୟ କହିଥିଲେ ଯେ, ବିଜେପି ଶାସିତ ରାଜ୍ୟ ବି ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତି ଗ୍ରହଣ କରିବେ । କିନ୍ତୁ ଓଡ଼ିଶାରେ ଏହାକୁ ଗ୍ରହଣ କରାଯାଉ ନାହିଁ କାରଣ, ମୁଖ୍ୟମନ୍ତ୍ରୀ ଏହା ଦ୍ୱାରା ଆହୁରି ଲୋକପ୍ରିୟ ହେବେ ସେଥିପାଇଁ ବିଜେପି ଭୟ କରୁଛି ।