ଭୁବନେଶ୍ୱରରେ ପହଞ୍ଚିଥିବା ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ । ତେବେ ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ ଜାଣିବା ପାଇଁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି। ଆଜି ଆୟୋଜିତ ପ୍ରେସମିଟ୍ରେ ଏପରି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ବିଏମସି କମିଶନରଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୮ ବ୍ରିଟେନ ଫେରନ୍ତାଙ୍କ ତାଲିକା ଆସିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତଙ୍କ କି ନାହିଁ ପୁନେରେ ଟେଷ୍ଟ ପରେ ଜଣାପଡ଼ିବ।
ଦ୍ୱିତୀୟ ପର୍ଯ୍ୟାୟରେ ୬୦ରୁ ୭୦ ଫେରନ୍ତାଙ୍କ ତାଲିକା ଆସିଛି। ସେମାନଙ୍କ ଫୋନ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରୁଛୁ। ୩ଟି ଜୋନ ପାଇଁ ୬ଟି ଟିମ୍ ଗଠନ କରାଯାଇ ଯାଞ୍ଚ ଆରମ୍ଭ ହୋଇଛି। ସେମାନଙ୍କ ଭିତରୁ କାହାକୁ ପାଉଛୁ ବା ନ ପାଉଛୁ କାଲି ଭିତରେ ଜଣାପଡ଼ିଯିବ । ନଭେମ୍ବର ୩୦ ତାରିଖ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରୁ ୧୮୧ଜଣ ଯାତ୍ରୀ ଓଡ଼ିଶାକୁ ଫେରିଛନ୍ତି । ୧୧୯ ଜଣଙ୍କ ପତ୍ତା ମିଳିଛି ଏବଂ ସେମାନଙ୍କର ପରୀକ୍ଷଣ କରାଯାଇଛି। ବ୍ରିଟେନରୁ ଫେରିଥିବା ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ।
ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ଗତ ୧୪ ଦିନ ଭିତରେ ବ୍ରିଟେନ୍ରୁ ସିଧାସଳଖ କିମ୍ବା ବ୍ରିଟେନ ଦେଇ ଫେରିଥିବା ଯାତ୍ରୀଙ୍କୁ ଡିକ୍ଲାରେସନ୍ ଫର୍ମ ପୂରଣ କରିବାକୁ ପଡିବ। ଫେରିଥିବା ଯାତ୍ରୀ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ। ଏହି ସମୟରେ ରାପିଡ ରେସପନ୍ସ ଟିମ୍ ତାଙ୍କର ନିୟମିତ ଯାଞ୍ଚ କରିବେ। କ୍ୱାରେଣ୍ଟିନ ସମୟରେ ଲକ୍ଷଣ ପ୍ରକାଶ ପାଇଲେ ଆରଟିପିସିଆର ଟେଷ୍ଟ କରାଯିବ ଏବଂ ପଜିଟିଭ୍ ଚିହ୍ନଟ ହେଲେ ସରକାରୀ ସଙ୍ଗରୋଧରେ ରଖାଯିବା ସହ ଚିକିତ୍ସା କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ମଧ୍ୟ ୧୪ ଦିନ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ପଡିବ।