ଭୁବନେଶ୍ୱର: ଦୀର୍ଘ ୯ ମାସର ଅପେକ୍ଷା ପରେ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର । ଶ୍ରୀମନ୍ଦିର ଭଳି ଶ୍ରୀଲିଙ୍ଗରାଜ ମନ୍ଦିରରେ ମଧ୍ୟ ପ୍ରଥମେ ସେବାୟତ ପରିବାରକୁ ଦର୍ଶନ ଅନୁମତି ମିଳିଛି । କୋଭିଡ କଟକଣା ମଧ୍ୟରେ ସମସ୍ତ ସେବାୟତଙ୍କ ପରିବାର ଦର୍ଶନ କରିବାର ସୁବିଧା ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ପ୍ରବେଶ କରିବା ପାଇଁ ସ୍ୱତନ୍ତ୍ର ବାରିକେଡ୍ ବ୍ୟବସ୍ଥା କରାଯାଇଥିବା ବେଳେ କରୋନାକୁ ଦୃଷ୍ଟିରେ ରଖି ଏକ ଅସ୍ଥାୟୀ କୋଭିଡ ଟେଷ୍ଟିଂ ସେଣ୍ଟରର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେବାୟତଙ୍କ ପରିବାର ପରେ ଭୁବନେଶ୍ୱର ବାସିନ୍ଦା ଏବଂ ପରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ।
ତେବେ ଦୀର୍ଘ ୯ ମାସର ଅପେକ୍ଷା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ନିମନ୍ତେ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ଦର୍ଶନ କରିବେ ।ତେବେ ନିୟମ ମୁତାବକ କୋଭିଡ୍ ଟେଷ୍ଟ ପରେ ମନ୍ଦିରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ । ଏଥର ଗର୍ଭଗୃହ ମଧ୍ୟକୁ ପ୍ରବେଶ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ଦର୍ଶନ ସମୟରେ ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷାକରି ଭକ୍ତମାନେ ଧାଡ଼ିରେ ଯାଇ ଦର୍ଶନ କରିବେ । ନୂଆବର୍ଷକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ରେ ଦର୍ଶନ ବନ୍ଦ ରହିବ । ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀବାସୀ, ୬ ତାରିଖ ପରଠାରୁ ବାହାର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ ।