Odia News Portal

ସ୍କାଏ କିଙ୍ଗ ଠକେଇ ମାମଲାରେ ଚର୍ଚ୍ଚିତ ବାପ-ପୁଅ ଯୋଡିକୁ ମିଲିଲାନି ଜାମିନ୍

କୋଟିପତି ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକକୁ ମିଲିଲାନି ଜାମିନ। ଏସଡିଜେଏମ୍‌ କୋର୍ଟ ଆଜି ଉଭୟଙ୍କ ଜାମିନ ଆବେଦନ ଖାରାଜ କରି ଦେଇଛନ୍ତି । ଭୁବନେଶ୍ୱର ସ୍କାଏ କିଙ୍ଗ ଅଫିସର ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଦୁହିଁଙ୍କ ଜାମିନ ଖାରଜ ହୋଇଛି । ଅନ୍ୟପକ୍ଷେ ଆଜି ଅଭୟକାନ୍ତ ପାଠକଙ୍କ ରିମାଣ୍ଡ ଅବଧି ସରିଛି । କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । କମିଶନରେଟ ପୁଲିସ ଅଭୟକାନ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା ।

ପୁଅକୁ ଟାଟାର ନକଲି ଏମଡି ହେବାକୁ କହିଥିଲେ ବୋଲି ଜେରା ବେଳେ ସତ ଓଗାଳିଥିବା ପୋଲିସ ସୂଚନା ଦେଇଛି । ଅଭୟଙ୍କ ଟଙ୍କାରେ ପୁଅ ଆକାଶ ପାଠକ କରୁଥିଲେ ଅୟସ । ଅଭୟଙ୍କ ଟଙ୍କାରେ ବୁକିଂ ହୋଇଥିଲା ହୋଟେଲ ଓ ଫ୍ଲାଇଟ୍ । ସ୍କାଏକିଙ୍ଗ୍ ଠକେଇ ମାମଲାରେ ଅଭୟକାନ୍ତ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍ ପୋଲିସ । ଅନ୍ୟପକ୍ଷେ ଆକାଶଙ୍କ ନାଁରେ ଚାକିରି ଦେବା ନାଁରେ ଠକେଇ ମାମଲା ରହିଛି। ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଇ ସେ ବହୁ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିବା ଅଭିଯୋଗ ରହିଛି।

ସେହିଭଳି ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟ ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ଓ ସେ ମଧ୍ୟ ଗିରଫ ହୋଇଛନ୍ତି। ଚାକିରି ଦେବା ନାଁରେ ସେ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ସେହିପରି ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆକାଶଙ୍କ ବାପା ତଥା ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।