ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତ ବିଚାରାଧୀନ କଏଦୀ ହେଲେ ହୋଟେଲ ସୋଲାନ ଇନର ମାଲିକ କମଳାକାନ୍ତ । ୧୦ ଲଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ କମଳାକାନ୍ତ । ଏବେ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି |
ତେବେ ମୃତ କମଳାକାନ୍ତଙ୍କର ବେଲ୍ ହୋଇଯାଇଥିଲା ।ଏନେଇ ସେ ଖୁବଶୀଘ୍ର ସେ ଜେଲରୁ ବାହାରିଥାନ୍ତେ । କିନ୍ତୁ ହଠାତ୍ ତାଙ୍କର ମୃତ୍ୟୁ ହୋଇଯାଇଛି । କମଳାକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଅଟୋରେ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଜେଲ୍ କର୍ମଚାରୀ । କ୍ୟାପିଟାଲ ହସ୍ପିଟାଲ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଡାକ୍ତର ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । କମଳାକାନ୍ତଙ୍କ ଶବ ବ୍ୟବଛେଦ କରାଯିବ, ପରେ ତାଙ୍କ ମୃତଦେହକୁ ପରିବାର ଲୋକ ହସ୍ତାନ୍ତର କରାଯିବ । ସେପଟେ କମଳାକାନ୍ତକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ବିରୋଧରେ କମଳାକାନ୍ତଙ୍କ ପୁଅ ଲକ୍ଷ୍ମୀ ସାଗର ଥାନାରେ ଏତଲା ଦେଇଛନ୍ତି।
ଏତଲାରେ ତାଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାପାଙ୍କର ଏକାଧିକ ରୋଗ ରହିଥିଲା। ସେ ଲିଭର ଏବଂ କିଡନୀ ରୋଗରେ ପୀଡିତ ଥିଲେ । ତେଣୁ ତାଙ୍କୁ ଜେଲରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇ ନାହିଁ। ଜେଲରେ ତାଙ୍କ ବାପା ରୋଗ ସମ୍ବନ୍ଧୀୟ ଔଷଧ ମାଗିଥିଲେ, କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ଦେଇନଥିଲେ । ଯାହାଫଳରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା । ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ପୁଅ । ତାଙ୍କ ଓକିଲ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ତାଙ୍କ ଓକିଲ । ଆମ୍ବୁଲାନ୍ସ ନଡକାଇ ତାଙ୍କୁ କାହିଁକି ଅଟୋରେ ନିଆଗଲା ବୋଲି ତାଙ୍କ ଓକିଲ ପ୍ରଶ୍ନ କରିଛନ୍ତି । ଏନେଇ ଅଦାଲତର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।