Odia News Portal

ନବୀନଙ୍କ ଦୁର୍ନୀତି ବିରୋଧୀ ମନ୍ତ୍ର: ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ସମସ୍ତେ ଦେବେ ସମ୍ପତ୍ତି ତାଲିକା

ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ | ଏହି ଅବସରରେ ଦୁର୍ନୀତି ବିରୋଧରେ ମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ । ନବୀନ କହିଛନ୍ତି ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ଦୁର୍ନୀତିର ମୂଳୋତ୍ପାଟନ ନକଲେ ଆମର ସବୁ ଲଢ଼େଇ ମୂଲ୍ୟହୀନ। ଆମ ସରକାର ମୂଳରୁ ଦୁର୍ନୀତି ବିରୋଧରେ ଲଢ଼େଇ କରି ଆସିଛି। ଆମେ ଗରିବୀ, ରୋଗ, ଆଞ୍ଚଳିକ ବୈଷମ୍ୟ ବିରୋଧରେ ଲଢୁଛୁ।ଆମେ ପ୍ରାକୃତିକ ବିପର୍ଯ୍ୟୟ, ଅସମାନତା ବିରୋଧରେ ଲଢ଼େଇ କରୁଛୁ। ଦୁର୍ନୀତିଗ୍ରସ୍ତ କର୍ମଚାରୀ ଯେତେ ଉଚ୍ଚ ପଦରେ ଥିଲେ ବି କାର୍ଯ୍ୟନୁଷ୍ଠାନ କରୁଛୁ। ଗତ ବର୍ଷକ ମଧ୍ୟରେ ୯୧ ଦୁର୍ନୀତିଗ୍ରସ୍ତଙ୍କୁ ଚାକିରିରୁ ବିଦା କରିଛୁ ବୋଲି ନବୀନ କହିଛନ୍ତି।

ସେହିପରି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ସମ୍ପତ୍ତି ତାଲିକା ଦେବେ ବୋଲି ନବୀନ କହିଛନ୍ତି। ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରସ୍ତାବ ଆଗତ ହୋଇଛି। ଏଥିରେ ପ୍ରତିବର୍ଷ ସମସ୍ତେ ସମ୍ପତ୍ତି ତାଲିକା ଦେବେ,ଯାହା ପବ୍ଲିକ ଡୋମେନରେ ରହିବ ବୋଲି ନବୀନ କହିଛନ୍ତି । ମୁଖ୍ୟ ସଚିବଙ୍କ ଠାରୁ ଆରମ୍ଭ କରି ସବୁ ସରକାରୀ କର୍ମଚାରୀ ଦେବେ ନିଜ ନିଜର ସମ୍ପତ୍ତି ତାଲିକା । ଲୋକ ପ୍ରତିନିଧି, ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କୁ ଦିଆଯିବ। ଦୁର୍ନୀତି ରୋକିବା ପାଇଁ ଏଭଳି ପଦକ୍ଷେପରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ | ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।