ଆସନ୍ତା ୨୩ ତାରିଖରୁ ପୁରୀବାସୀଙ୍କୁ ମିଳିବ ଜଗା ଦର୍ଶନ । ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥଲେ । ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସରକାର ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଥିଲେ । ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଆସନ୍ତା ୨୩ ତାରିଖରୁ ଖୋଲାଯିବ ।ଶେଷରେ ପୁରୀ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ଶ୍ରୀମନ୍ଦିର ଖୋଲିବାର ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ଦର୍ଶନ କରିବାର ସୁଯୋଗ ପାଇବେ । ଦୁଇଦିନ ପରେ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ସୁବିଧା ମିଳିବ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ସମସ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ ।
ପ୍ରଥମେ ୫ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବ। ପରେ ସ୍ଥିତି ଦେଖି ସଂଖ୍ୟା ବୃଦ୍ଧି କରାଯିବ। କେବଳ ସେତିକି ନୁହେଁ, ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ଦେଖାଇବାକୁ ପଡ଼ିବ ବୋଲି ସର୍ତ୍ତ ରଖାଯାଇଛି । ନୂଆବର୍ଷରେ ଭିଡ଼ ବଢ଼ିବା ଆଶଙ୍କା ଥିବାରୁ ଜାନୁଆରି ୧ ଓ ୨ ତାରିଖରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯିବ। ଜାନୁଆରି ୩ରୁ ପୁରୀ ସହ ଜିଲ୍ଲା ତଥା ରାଜ୍ୟ ବାହାର ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।
କୋଭିଡ ଗାଇଡ଼ ଲାଇନ ପାଳନ ପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା ଓ ସାନିଟାଇଜ କରି ଶୃଙ୍ଖଳିତ ଭାବେ ଲାଇନରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାରିଦ୍ବାରରେ ସାନିଟାଇଜର ବ୍ୟବସ୍ଥା କରାଯିବ। ଏହାଛଡ଼ା ପ୍ରବେଶ ପୂର୍ବରୁ ଭକ୍ତମାନଙ୍କୁ ୪୮ ଘଣ୍ଟା ଭିତରର କୋଭିଡ୍-୧୯ ନେଗେଟିଭ୍ ରିପୋର୍ଟ ଦେଖାଇ ମନ୍ଦିର ମଧ୍ୟକୁ ପ୍ରବେଶ ବାଧ୍ୟତାମୂଳକ କରାଯାଇଛି। ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଅବା ଆର୍ଟିପିସିଆର୍, ଯେ କୌଣସି ରିପୋର୍ଟ ଦେଖାଇ ଭକ୍ତ ଶ୍ରୀମନ୍ଦିରକୁ ଯାଇପାରିବେ।