ଭୁବନେଶ୍ୱର () ଉପନିର୍ବାଚନ ଫଳ ପ୍ରକାଶ ନେଇ ରାଜନୈତିକ ଉକ୍ରଣ୍ଠା ବୃଦ୍ଧି ପାଉଥିବାବେଳେ ଏହାର ଫଳାଫଳ ଏଥର ବିଜେଡିର ଦ୍ୱିତୀୟ ପୀଢିର ନେତାଙ୍କ ପାରିବା ପଣିଆକୁ ପଦାକୁ ଆଣିବ ବୋଲି ଆଲୋଚନା ଚାଲିଛି । ବିଶେଷକରି ତିର୍ତ୍ତୋଲ ଉପନିର୍ବାଚନ ଦାୟିତ୍ୱରେ ଥିବା ଦଳର ତିନି ବରିଷ୍ଠ ନେତା ଅରୁଣ-ଅତନୁ-ସଞ୍ଜୟଙ୍କ ଦକ୍ଷତା ପ୍ରତିପାଦନ କରିବ । ଏମାନେ ଦାୟିତ୍ୱରେ ଥିବା ନିର୍ବାଚନମଣ୍ଡଳୀରେ ବିଜେଡି କେତେ ଭୋଟ ବ୍ୟବଧାନରେ ଜିଣିବ ତାହା ଉପରେ ଏବେ ଏହି ନେତା ଓ ସେମାନଙ୍କ ସମର୍ଥକଙ୍କ ସହିତ ଦଳୀୟ କର୍ମୀଙ୍କ ନଜର ରହିଛି ।
ବିଜେଡିର ଏହି ତିନି ନେତା ହେଉଛନ୍ତି ଦ୍ୱିତୀୟ ପୀଢିର । ପ୍ରଫୁଲ ଘଡେଇ, ଦେବୀ ମିଶ୍ରଙ୍କ ଭଳି ବରିଷ୍ଠ ନେତା ବିଜେଡିର ପ୍ରଥମ ପୀଢିର ନେତା ହୋଇଥିବାବେଳେ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ସମେତ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଯାଜପୁର ବିଧାୟକ ପ୍ରଣବ କିଶୋର ଦାସ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ଭଳି ନେତା ହେଉଛନ୍ତି ତୃତୀର ପୀଢିର । ବିଜେଡି ଏବେ ତାହାର ଏହି ତୃତୀୟ ପୀଢିର ନେତାଙ୍କ ଉପରେ ବେଶ୍ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି । କାରଣ ଛାତ୍ର ବିଜେଡି ଓ ଯୁବ ବିଜେଡି ମୁଖିଆ ଚୟନ ସମୟରେ ପ୍ରଥମ ଓ ଦ୍ୱିତୀୟ
ପୀଢି ନେତାଙ୍କୁ ଏଥିରୁ ଦୂରରେ ରଖାଯାଇଥିବା ଦେଖିବାକୁ ମିଳିଥିଲା ।
ତେବେ ସଂଯୋଗ ବଶତଃ ଦ୍ୱିତୀୟ ପୀଢିର ଏହି ତିନ ତୁଙ୍ଗ ନେତାଙ୍କୁ ତିର୍ତ୍ତୋଲ ଉପର୍ନିବାଚନ ଦାୟିତ୍ୱ ଦିଆଯାଇଛି । ଯଦିଓ ନିର୍ବାଚନ ମଇଦାନରେ ପାଦ ରଖୁ ରଖୁ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟ ସଞ୍ଜୟ କୁମାର ଦାଶବର୍ମାଙ୍କୁ କରୋନା ହୋଇଥିଲା କିନ୍ତୁ ସୁସ୍ଥହେବାପରେ ତୁରନ୍ତ ସେ ତିର୍ତ୍ତୋଲ ଅଭିଯାନରେ ବାହାରି ଯାଇଥିଲେ । ସେହିଭଳି ମନ୍ତ୍ରୀ ଅରୁଣ ସାହୁ ବିରିଡି ପଟେ ଗଡ ଜଗିଥିବାବେଳେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟଚାନୀ ନାୟକ ତିର୍ତ୍ତୋଲ ପଟ ସମ୍ଭାଳିଥିଲେ । ତେବେ ଏହି ତିନି ନେତାଙ୍କ ମଧ୍ୟରୁ କେବଳ ଅତନୁ ହେଉଛନ୍ତି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପଡୋଶୀ ନେତା । ପାଟକୁରା ନିର୍ବାଚନମଣ୍ଡଳୀକୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଲାଗିକରି ରହିଛି ।
ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଏଥର ଅନେକ ନୂଆ ସମୀକରଣ ହୋଇଛି । ଅକାଳରେ ମୃତୁ୍ୟବରଣ କରିଥିବା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବିଜେପି ପ୍ରାର୍ଥୀ କରିଥିବା ରାଜକିଶୋର ବେହେରା କଂଗ୍ରେସରୁ ଆମଦାନୀ ହୋଇଛନ୍ତି । ତେବେ କଂଗ୍ରେସ ମଇଦାନରେ ଜଣେ ସମ୍ପୂର୍ଣ୍ଣ ନବାଗତ ହିମାଂଶୁ ମଲିକକୁ ଉତାରିଛି । ୨୦୧୯ ମସିହାରେ ଅନୁଷ୍ଠିତ ନିର୍ବାଚନରେ ବିଷ୍ଣୁ ଦାସ ଏଠାରୁ ବିଜେଡି ଟିକଟରେ ୪୦ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିଣିଥିଲେ । ତାଙ୍କ ଠାରୁ ପରାସ୍ତ ହୋଇଥିବା ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ଏବେ ବିଜେଡିରେ । ଶ୍ରୀ ଭୋଇ ଗତ ନିର୍ବାଚନରେ ୫୦ହଜାରରୁ
ଅଧିକ ଭୋଟ ପାଇଥିଲେ ।
ଏଭଳି ସ୍ଥିତିରେ ତିର୍ତ୍ତୋଲରେ ବିଜେଡିର ବିଜୟ ବ୍ୟବଧାନ କେତେ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର । ସବୁ କିଛି ଏହି ବରିଷ୍ଠ ନେତାଙ୍କ ଗୋଟି ଚାଳନା ଉପରେ ନିର୍ଭର କରୁଛି । ଏମାନେ ବିଜୟ ବ୍ୟବଧାନକୁ କେତେ ଆଗକୁ ନେବେ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । କାରଣ ରାଜ୍ୟ ରାଜନୀତି ପାଣିପାଗ ସହିତ ଏମାନେ ଯେତେ ଜଡିତ ଅନ୍ୟକୌଣସି ନେତା ସେଭଳି ଜଡିତ ନୁହନ୍ତି । ତେଣୁ ହାଇକମାଣ୍ଡ ଏମାନଙ୍କ କାନ୍ଧରେ ତିର୍ତ୍ତୋଲ ବୋଝ ରଖି ପରୀକ୍ଷା କରୁଥିବା ନେଇ ଆଲୋଚନା ଜୋର ଧରୁଛି । ତେବେ ୧୦ତାରିଖ ଭୋଟ ଗଣତି ପରେ ସବୁକିଛି ସ୍ପଷ୍ଟ ହେବାକୁ ଥିବାବେଳେ ଏହି ଆଧାରରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଗତିଶୀଳ ହେବବୋଲି କର୍ମୀମାନେ ଆଲୋଚନା କରୁଛନ୍ତି ।