Odia News Portal

ଅଦାଲତଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ପୁଲିସ୍‍ ଓ ତହସିଲଦାର

ଭୁବନେଶ୍ୱର()  ବେଆଇନ୍‍ ନିର୍ମାଣ ଉଚ୍ଛେଦ ପାଇଁ ଅଦାଲତ ଦେଇଥିବ ନିଦେ୍ର୍ଧଶକୁ ପୁଲିସ୍‍ କି ତହସିଲଦାର କେହି ମାନୁ ନାହାନ୍ତି । କ୍ଷେତ୍ର ସ୍ଥଳକୁ ଆସି ବେଆଇନ୍‍ ନିର୍ମାଣ ହଟାଇବା ତ ଦୂରର କଥା ଅଦାଲତର ଚିଠି ପାଇଲାପରେ ବି କେହି ଧରାଛୁଆଁ ଦେଉନାହାନ୍ତି । ଏଭଳି ସ୍ଥିତିରେ ଏବେ ସମସ୍ୟାରେ ପଡିଥିବା ଲୋକେ ପୁଣିଥରେ ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ସ୍ଥିର କରିଛନ୍ତି ।

ଅଦାଲତଙ୍କ ନିଦେ୍ର୍ଧଶକୁ ନେଇ ଏଭଳି ଲୁଚକାଳି ଖେଳ ଚାଲିଥିବାର ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ଜିଲ୍ଲା ଏସ୍‍ଡିଜେଏମ୍‍ ଅଦାଲତ ଦେଇଥିବା ନିଦେ୍ର୍ଧଶକୁ ବାସୁଦେବପୁର ଥାନାଧିକାରୀ କିମ୍ବା ତହସିଲଦାର କେହି ପାଳନ କରୁନଥିବାର ଅଭିଯୋଗ ଆସିଛି । ସାତ ଦିନ ଭିତରେ ବେଆଇନ୍‍ ନିର୍ମାଣ ହଟାଇବାକୁ ଅଦାଲତ କହିଥିଲେ ମଧ୍ୟ ଇତି ମଧ୍ୟରେ ମାସେ ବିତିଗଲାଣି । ଫଳରେ ବେଆଇନ୍‍ ନିର୍ମାଣ ଯୋଗୁଁ ଦହଗଞ୍ଜହେଉଥିବା ଲୋକେ ପୁଣିଥରେ ଅଦାଲତଙ୍କ କବାଟ ଠକ୍‍ ଠକ୍‍ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି ।

ମାମଲାରୁ ଜଣାଯାଇଛି ଯେ ବାସୁଦେବପୁର ତହସିଲ ଅର୍ନ୍ତଗତ ବଂଶୀପାଟଣା ମୌଜାରେ ପ୍ଲଟ ନମ୍ବର ୬୫ ଉପରେ ବେଆଇନ୍‍ ନିର୍ମାଣ ହୋଇଛି । ସର୍ବସାଧାରଣ ସ୍ଥାନରେ ଏଭଳି ବେଆଇନ୍‍ ନିର୍ମାଣ ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅନୁରୋଧ ସତ୍ୱେ ନିର୍ମାଣକାରୀ କର୍ଣ୍ଣପାତ ନକରିବାରୁ ବୁଦ୍ଧିରାମ ରାଉଳ ନାମ ଜଣେ ବ୍ୟକ୍ତି ଏ ନେଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ ଯେ ଉକ୍ତ ପ୍ଲଟ ଉପରେ ରବୀନ୍ଦ୍ର କୁମାର ଶତପଥୀ ନାମକ ଜଣେ ବ୍ୟକ୍ତି ବେଆଇନ୍‍ ନିର୍ମାଣ ଚଳାଇଥିବାରୁ ଗମନାଗମନରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ତେଣୁ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ବେଆଇନ୍‍  ନିର୍ମାଣକୁ ଉଚ୍ଛେଦ କରାଯାଉ ।

ସାଧାରଣ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାନ୍ୟବର ଅଦାଲତ ଏହାକୁ ଗୁରୁତ୍ୱର ସହ ନେଇ ୭ଦିନ ଭିତରେ ପ୍ରତିପକ୍ଷଙ୍କୁ ୭ଦିନ ଭିତରେ ବେଆଇନ୍‍ ନିର୍ମାଣ ହଟାଇବାପାଇଁ କହିଥିଲେ । ଯଦି ଏହା ପାଳନ ନହୁଏ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଦାଲତ କହିଛନ୍ତି । ଏଥି ସହିତ ଅଦାଲତଙ୍କ ନିଦେ୍ର୍ଧଶନାମା ବାସୁଦେବପୁର ଥାନା ଅଧିକାରୀ ଓ ତହସିଲଦାରଙ୍କୁ ପ୍ରଦାନ କରିବା ସହିତ ଜବରଦଖଲ ହଟାଇବାପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ମାନ୍ୟବର ଅଦାଲତଙ୍କ ନିଦେ୍ର୍ଧଶନାମାକୁ ଦୁଇ ସରକାରୀ ଅଧିକାରୀ ପାଳନ କରୁନାହାନ୍ତି । ବିଭିନ୍ନ ବାହାନା ଦର୍ଶାଇ ଅନୁପସ୍ଥିତ ରହିବାକୁ ସାଧାରଣ ଲୋକେ ନାହିଁ ନଥିବା ସମସାର ସମ୍ମୁଖୀନ ହେଉଥିବାବେଳେ ଅଦାଲତ ଅବମାନନା ମାମଲା ରୁଜୁ ହେବାକୁ ବସିଲାଣି । ଉଲ୍ଲେଖନୀୟ ଯେ ଏହି ଘଟଣାରେ ଭଦ୍ରକ ଏସ୍‍ଡିଜେଏମ୍‍ ଗତମାସ ୭ତାରିଖରେ ଏହି ନିଦେ୍ର୍ଧଶନାମା ଜାରି କରିଛନ୍ତି ।

ରାଜ୍ୟ ସରକାର ୫-ଟି ଆଧାରରେ କାର୍ଯ୍ୟ କରିବାକୁ ସରକାରୀ କର୍ମଚାରୀମାନଙ୍କୁ ନିଦେ୍ର୍ଧଶ ଦେବା ସହିତ ଅଦାଲତଙ୍କ ନିଦେ୍ର୍ଧଶନାମା ପାଳନ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ଭଦ୍ରକ ଜିଲ୍ଲାର ଦୁଇ ଅଧିକାରୀ ଏହାକୁ ଅଣଦେଖା କରି ଧରାଛୁଆଁ ନଦେବା ଏବେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି । ତେଣୁ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଏବେ ସାଧାରଣରେ ଦାବି ବଢିବାରେ ଲାଗିଛି ।