ଭୁବନେଶ୍ୱର() ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନପାଇଁ ଆଜି ଭୋଟଗ୍ରହଣ ହେଉଥିବାବେଳେ ଭୋଟ ବ୍ୟବଧାନକୁ ନେଇ ନେତାଙ୍କ ରକ୍ତଚାପ ବଢିବାରେ ଲାଗିଛନ୍ତି । ଅତି କମ୍ରେ ଆଉ ୭ଦିନ ପର୍ଯ୍ୟନ୍ତ ଏଭଳି ଅବସ୍ଥା ଲାଗି ରହିବ । କାରଣ ଏହି ଭୋଟ ବ୍ୟବଧାନ ଉପରେ ଅନେକନେତାଙ୍କ ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରୁଛି ।
ଉପନିର୍ବାଚନରେ ବିଜୟଲାଭ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକଦଳ ବିଜେଡି-ବିଜେପି-କଂଗ୍ରେସ ଲାଗି ପଡିଥିବାବେଳେ ଆଜି ଜନତା ଜନାର୍ଦ୍ଧନ ସେମାନଙ୍କର ରାୟ ଦେଉଛନ୍ତି । ନଭେମ୍ବର ୧୦ ତାରିଖ ଦିନ ଫଳ ପ୍ରକାଶ ହେବ । ତେବେ ବିଜୟ-ପରାଜୟ ଅପେକ୍ଷା ଭୋଟ ବ୍ୟବଧାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ରକ୍ତଚାପ ବଢିବାରେ ଲାଗିଛି । ବିଶେଷକରି ବିଜୟ ଓ ପରାଜୟରେ ଭୋଟ ବ୍ୟବଧାନ କେତେ ରହିବ ତାହାକୁ ଅଙ୍କକଷା ଆରମ୍ଭ ହୋଇଯାଇଛି ।
ବାଲେଶ୍ୱର ସଦର ଆସନଟି ବିଜେପି ହାତରେ ଥିବାବେଳେ ଏଠାରେ ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ଏଠାରେ ନୂଆ ମୁହଁ ଦେଇଛି । କଂଗ୍ରେସ ବି ଜଣେ ମହିଳାଙ୍କୁ ମଇଦାନକୁ ଓହ୍ଲାଇଛି । ଏଠାରେ ଦଳୀୟ ଭୋଟ ସହିତ ଅନୁକମ୍ପା ଭୋଟ ଉପରେ ବିଜେପି ନିର୍ଭର କରୁଥିବାବେଳେ ବିଜେଡି ସରକାରଙ୍କ ସଫଳ କାର୍ଯ୍ୟକ୍ରମକୁ ଆୟୁଧ କରିଛି । ତେବେ କଂଗ୍ରେସ ମହିଳା ଭୋଟରଙ୍କ ସହିତ ପାରମ୍ପରିକ ଭୋଟ ଉପରେ ନିର୍ଭରଶୀଳ । ତେଣୁ ଏଠାରେ ଯେଉଁ ପ୍ରାର୍ଥୀ ଜିଣିବେ ତାଙ୍କର ଭୋଟ ବ୍ୟବଧାନ କେତେ ରହିବ ଓ କେଉଁଦଳ ଅନ୍ୟ ଦଳର କେତେ ଭୋଟକୁ ନିଜ ପଟକୁ ଆଣିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭହୋଇଛି ।
ସେହିଭଳି ତିର୍ତ୍ତୋଲ ସଂରକ୍ଷିତ ଆସନରେ ସ୍ୱର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ ବିଜେପି ଏଠାରେ ପ୍ରାର୍ଥୀ କରିଥିବା ରାଜକିଶୋରଙ୍କୁ କଂଗ୍ରେସରୁ ଅମାଦାନୀ କରିଛି । ସେହିଭଳି କଂଗ୍ରେସ ନୂଆ ମୁହଁ ଭାବେ ହିମାଂଶୁ ମଲ୍ଲିକଙ୍କୁ ମଇଦାନରେ ଉତାରିଛି । ବିଜେଡି ଏଠାରେ ଦଳୀୟ ଭୋଟ ସହିତ ଅନୁକମ୍ପା ଭୋଟ ଉପରେ ନଜର ରଖିଥିବାବେଳେ ବିଜେପି ପ୍ରାର୍ଥୀ ନିଜ ଦଳର ଭୋଟ ସହିତ କଂଗ୍ରେସର କିଛି ଭୋଟ ହାତେଇବା ଚକ୍କରରେ ଅଛନ୍ତି । ସେହିଭଳି ହିମାଂଶୁ ପାରମ୍ପରିକ ଭୋଟ ସହିତ ଯୁବବର୍ଗଙ୍କ ଉପରେ ନିର୍ଭରଶୀଳ ।
ତିନି ଦଳର ଏଭଳି ଅବସ୍ଥା ଥିବାବେଳେ ସବୁ ଦଳର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତାମାନେ ଏବେ ଭୋଟ ବ୍ୟବଧାନକୁ ନେଇ ଅଙ୍କ କଷୁଛନ୍ତି । କାରଣ ଦଳୀୟ ପ୍ରାର୍ଥୀ ହାରନ୍ତୁ କିମ୍ବା ଜିଣନ୍ତୁ ଭୋଟ ବ୍ୟବଧାନ ଉପରେ ସେମାନଙ୍କ ପତିଆରା ନିର୍ଭର କରୁଛି । ଯଦି ବିଜୟୀ ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ ଅଧିକ ରୁହେ ତେବେ ହାରିଥିବା ପ୍ରାର୍ଥୀଙ୍କ ନିର୍ବାଚନ ଦାୟିତ୍ୱରେ ଥିବା ଦଳୀୟ ନେତାଙ୍କ ଅବସ୍ଥା ବାର ବାଜିବ । ସେହିଭଳି ଭୋଟ ବ୍ୟବଧାନ କମ୍ ରହିଲେ ହାରିଥିବା ପ୍ରାର୍ଥୀଙ୍କର କିଛିଟା ସମ୍ମାନ ରକ୍ଷା ହୋଇଯିବ
ତେବେ ଉଭୟ ବିଜେଡି ଓ ବିଜେପି ଏବେ ଭୋଟ ବ୍ୟବଧାନ ବୃଦ୍ଧି ପାଇଁ ଲାଗି ପଡିଥିବାବେଳେ କଂଗ୍ରେସ ବି ତାହାର ମାନ ରକ୍ଷା ପାଇଁ ଦୌଡରେ ରହିଛି । ତେବେ ନଭେମ୍ବର ୧୦ ତାରିଖ ଦିନ ହିଁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ନେତାମାନେ କିଭଳି ଗୋଟିଚାଳନା କରିଛନ୍ତି ତାହାର ବାସ୍ତବ ଚିତ୍ର ଜଣାପଡିବ ।