Odia News Portal

ପ୍ରାର୍ଥୀ ଘୋଷଣା ପରେ ସୋସିଆଲ ମିଡଆରେ ଯୁଦ୍ଧ ଆରମ୍ଭ

ଭୁବନେଶ୍ୱର() ଦୁଇ ଉପନିର୍ବାଚନ ଆସନ ପାଇଁ ତିନି ଦଳର ପ୍ରାର୍ଥୀ ଘୋଷଣା ପରେ ଏବେ ଆରମ୍ଭ ହୋଇଯାଇଛି ସୋସିଆଲ ମିଡିଆ ଯୁଦ୍ଧ । ସଭାସମିତି ପ୍ରଚାରକୁ କରୋନା ଭୟ ଗୋଡାଉ ଥିବାବେଳେ ନେତା ଓ କର୍ମୀମାନେ ଏବେ ସୋସିଆଲ ମିଡିଆରେ ପରସ୍ପରର ଗୋହି ଖୋଳିବା ଆରମ୍ଭ କରିଦେଇଛନ୍ତି । ତେବେ ଏଥିରେ ନିଜ ଦଳର ଅସନ୍ତୁଷ୍ଟଙ୍କ ସଂଖ୍ୟା ଅଧିକ ଥିବା ଲକ୍ଷ୍ୟ କରାଯାଉଛି ।

ନଭେମ୍ବର ୩ତାରିଖରେ ଉପନିର୍ବାଚନ ହେବାକୁ ଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରୁଥିବାବେଳେ ଭୋଟରଙ୍କୁ ସାମ୍ନା କରିବାକୁ ସଜବାଜ ହେଉଛନ୍ତି । ତେବେ ଏହା ପୂର୍ବରୁ ସୋସିଆଲ ମିଡିଆରେ କିଏ କାହାକୁ କେତେ ବଦନାମ କରିବ ସେଥିପାଇଁ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି । ତେବେ ବାଲେଶ୍ୱର ଅପେକ୍ଷା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଏହି ସୋସିଆଲ ମିଡିଆ ଯୁଦ୍ଧ ଜୋରଦାର ହୋଇଛି । ବିଜେଡିର ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କରଙ୍କୁ ନେଇ ସୋସିଆଲ ମିଡିଆରେ ଜୋରଦାର କଟାକ୍ଷ ହେଉଛି । ତାଙ୍କର ମାଟ୍ରିକ ପରୀକ୍ଷା ନମ୍ବର ବଦଳ ଠାରୁ ଆରମ୍ଭକରି ଆଉ କିଛି ବିଷୟରେ ବି ଟୀକା ଟିପ୍ପଣୀ ଦିଆ ଚାଲିଛି ।

ତେବେ ବିଜୟଙ୍କ ବିରୁଦ୍ଧରେ ହଠାତ୍‍ ସୋସିଆଲ ମିଡିଆରେ ଏଭଳି ଝଡକୁ ବିଜେଡି ହଜମ କରିପାରୁ ନାହିଁ । ଏହା ପଛରେ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠି ଖାସ୍‍ କରି ସାଂସଦଙ୍କ ଗୋଷ୍ଠିର ହାତ ଥିବା ଅନୁମାନ କରାଯାଉଛି । କାରଣ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଏତେ ଶୀଘ୍ର ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀଙ୍କୁ ବ୍ୟକ୍ତିଗତ ସ୍ତରରେ ଆକ୍ରମଣ କରିବା ସମ୍ଭବପର ନୁହେଁ ବୋଲି ଖୋଦ୍‍ ବିଜେଡି କର୍ମୀମାନେ କହି ବୁଲୁଛନ୍ତି । ତେବେ ବିଜୟ ଶଙ୍କର କିଭଳି ଏହି ସୋସିଆଲ ମିଡିଆ ଯୁଦ୍ଧକୁ ସାମ୍ନା କରିବା ଓ ତାଙ୍କ ବିରୁଦ୍ଧରେ ହେଉଥିବା କୁତ୍ସାରଟନାକୁ ରୋକିବେ ତାହା ଉପର ଏବେ ସମସ୍ତଙ୍କ ନଜର ।

ସେହିଭଳି ଅବସ୍ଥା ବାଲେଶ୍ୱର ସଦର ଆସନରେ । ଏଠାରେ ଅବଶ୍ୟ ଏଭଳି ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀନୀ ମମତା କୁଣ୍ଡୁ । ମମତାଙ୍କ ପ୍ରାର୍ଥୀ ଘୋଷଣା ପରେ ସୋସିଆଲ ମିଡିଆରେ ତାଙ୍କର ପୂର୍ବ ଆପ୍‍ ଓ ବିଜେଡି ଲିଙ୍କ୍‍ର ଫଟୋ ସୋସିଆଲ ମିଡିଆରେ ଛାଇ ଯାଇଛି । ଏପରିକି ମମତାଙ୍କୁ ଆଳ କରି ସୋସିଆଲ ମିଡିଆରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଉପରେ ବି ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ସେହିଭଳି ବିଜେଡି ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିବାପରେ ଦଳର ଆଉ ଗୋଟିଏ ଗୋଷ୍ଠି ତାଙ୍କୁ ସୋସିଆଲ ମିଡିଆରେ ବିରୋଧ ଆରମ୍ଭ କରିଦେଇଛନ୍ତି ।

ତେବେ ସୋସିଆଲ ମିଡିଆରେ ଏଭଳି ଗୋହିଖୋଳା ପର୍ବକୁ ନେଇ ଏବେ ଅନେକ ନିଜ ଦଳର କର୍ମୀଙ୍କୁ ଦାୟୀ କରିବାରେ ଲାଗିଛନ୍ତି । ବିଶେଷକରି ଅସନ୍ତୁଷ୍ଟମାନେ ସିଧା ମଇଦାନକୁ ନଆସି ଏବେ ପଛ ପଟରେ ରହି ସୋସିଆଲ ମିଡିଆକୁ ଆୟୁଧ କରିଛନ୍ତି । ହେଲେ ଏମାନଙ୍କ ବିରୁଦ୍ଧରେ ଯଦି ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗକୁ ଏମାନେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବେ । କାରଣ ଚଳିତ ଉପନିର୍ବାଚନରେ କରୋନା କଟକଣା ଯୋଗୁଁ ସବୁ ଦଳ ଭର୍ଚୁଆଲ ବ୍ୟବସ୍ଥା ଉପରେ ନିର୍ଭର କରୁଥିବାବେଳେ ଏହି ଗୃହଭେଦୀମାନେ ଏବେ ପ୍ରାର୍ଥୀ ଓ ନେତାମାନଙ୍କ ନିଦ ହଜାଇ ଦେଲେଣି ।