ଭୁବନେଶ୍ୱର() ଦୀର୍ଘ ୬ ମାସ ପରେ ରାଜ୍ୟରେ ବନ୍ଦ ରହିଥିବା ପ୍ରମୁଖ ମନ୍ଦିରଗୁଡ଼ିକୁ ଖୋଲିବା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିରଗୁଡ଼ିକୁ ଖୋଲିବା ପାଇଁ ସରକାର ଯୋଜନା ରହିଛି । ସେଥିଲାଗି ପୁରୀ ଶ୍ରୀ ମନ୍ଦିର ଓ ଅନ୍ୟାନ୍ୟ ପ୍ରମୁଖ ମନ୍ଦିର ପ୍ରଶାସକଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି ।
କରୋନା କଟକଣା ସହିତ ମନ୍ଦିର ଖୋଲିବା ଯୋଜନା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମ୍ପୃକ୍ତ ଜିଲ୍ଲାପାଳମାନେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ମନ୍ଦିର କିପରି ଖୋଲାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି । ସେହି ଯୋଜନାକୁ ଆଧାର କରି ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବେ ଏବଂ ଏସ୍ଓପି ଜାରି କରିବେ ବୋଲି ଜଣାପଡ଼ିଛି ।
ଅନ୍ୟ ପକ୍ଷରେ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲି ନୀତି ପ୍ରଶାସକ ଆଲୋଚନା ପାଇଁ ଡାକିଛନ୍ତି । ବିଭିନ୍ନ ନିଯୋଗର ପ୍ରତିନିଧିଙ୍କ ସମେତ ବରିଷ୍ଠ ସେବାୟତମାନଙ୍କ ମତାମତ ଲୋଡାଯିବ । ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଆଲୋଚନା ଜାରି ରହିବ । ତେବେ ୧୫ ତାରିଖଦିନ ପୁରୀ ଜିଲ୍ଲାପାଳଙ୍କ ମତ ଲୋଡାଯିବାର କାର୍ଯ୍ୟସୂଚୀ ରହିଛି । ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଏହି ଆଲୋଚନା ହେବ ବୋଲି ସୂଚନା ମିଳିଛି ।