ମୁମ୍ବାଇ() ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଏବେ ନିଜେ ମାନହାନୀ ମାମଲାରେ ଫସିଯାଇଛନ୍ତି। ଅଭିନେତ୍ରୀ ରିଚା ଚଢ଼ା ପାୟଲ ଘୋଷଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି।
ବର୍ତ୍ତମାନ ଏହି ନିଷ୍ପତ୍ତିକୁ ସୁରକ୍ଷିତ ରଖି ବମ୍ବେ ହାଇକୋର୍ଟ ଅକ୍ଟୋବର ୭ ତାରିଖ ଦେଇଛନ୍ତି। କୋର୍ଟଙ୍କ କହିବାନୁସାରେ, ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କୁ ନୋଟିସ ଦିଆଯାଇ ନ ଥିଲା, ତେଣୁ ସେମାନଙ୍କୁ କୋର୍ଟରେ ହାଜର ହେବାକୁ ଗୋଟିଏ ଦିନ ସମୟ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଯେତେବେଳେ ପାୟଲ ଘୋଷ ଅନୁରାଗ କାଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ, ସେତେବେଳେ ସେ ନିଜ ପକ୍ଷ ରଖି କହିଥିଲେ ଯେ, ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନୁରାଗଙ୍କ ସହ କାମ କରିବାକୁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ପାୟଲ ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ରିଚା ଚଢ଼ା, ମାହି ଗିଲ ଏବଂ ହୁମା କୁରୈଶିଙ୍କ ନାଁ ନେଇଥିଲେ। ପାୟଲଙ୍କ ଏହି ବୟାନରେ ରିଚା ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି।