ଫରିଦାବାଦ() ବଲିଉଡ଼ ଭାଇଜାନ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ଜାନୁଆରୀରୁ ଷଡ଼ଯନ୍ତ୍ର କରାଯାଇଥିଲେବି ଲକଡାଉନ ଯୋଗୁଁ ତାହା ସମ୍ଭବପର ହୋଇପାରିନଥିଲା । ସଲମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ସାର୍ପସୁଟରଙ୍କୁ ଗିରଫ କରିବା ପରେ ଏହା ଜଣାପଡ଼ିଛି ।
ଜୁନରେ ହୋଇଥିବା ଏକ ହତ୍ୟା ଘଟଣାରେ ଫରିଦାବାଦ ପୁଲିସ କେତେକ ସାର୍ପସୁଟରଙ୍କୁ ଗିରଫ କରିଥିଲା । ପଚରାଉଚରା ପରେ ସେମାନେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି କହିଛନ୍ତି । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍କର ଏହି ସାର୍ପସୁଟରଙ୍କ ସ୍ୱୀକାରୋକ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜସ୍ଥାନର ଏକ ଜେଲରେ ଥିବାବେଳେ ବିଷ୍ଣୋୟୀ ଏଭଳି ଷଡ଼ଯନ୍ତ୍ର କରିଥିଲା । ଅଭିଯୁକ୍ତ ରାହୁଲର ସୂଚନା ଅନୁଯାୟୀ, ସେ ଜାନୁଆରୀରେ ମୁମ୍ବାଇ ଯାଇଥିଲା । ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ସେ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଥିଲା । ସଲମାନଙ୍କ ବାନ୍ଦ୍ରା ଘର ନିକଟରେ ସେ ପଇଁତରା ମାରିବା ସହ ସେହି ସ୍ଥାନରେ ଦୁଇଦିନ ରହିଥିଲା ବୋଲି ଡିସିପି ରାଜେଶ ଡଗଲ କହିଛନ୍ତି ।