ଭୁବନେଶ୍ୱର : ରାଜଧାନୀରେ କରୋନା ପୁଣି ଥରେ ତାହାର କାୟା ବିସ୍ତାର କରୁଥିବାବେଳେ ଏହାର ମୁକାବିଲା ଲାଗି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ତତ୍ପର ହୋଇ ଉଠିଛି । ତେବେ ବିଏମ୍ସି ତତ୍ପର ହୋଇଥିବାବେଳେ କମିଶନରେଟ ପୁଲିସ୍ କିନ୍ତୁ ଏ କ୍ଷେତ୍ରରେ ନିର୍ବିକାର ଥିବା ଲକ୍ଷ୍ୟ କରାଯାଉଛି । କମିଶନରେଟ ପୁଲିସ୍ ଆଉ କରୋନା ମୁକାବିଲା କରିବାଭଳି ଲକ୍ଷ୍ୟ କରାଯାଉନାହିଁ । କାରଣ ରାତ୍ରୀକାଳୀନ କର୍ଫ୍ୟୁ ଓ ସଟ୍ଡାଉନ୍ ସମୟରେ ରାଜଧାନୀରେ ଲୋକେ ଯେଭଳି ଯା ଆସ କରୁଛନ୍ତି ଓ ପୁଲିସ୍ ଜଳକା ଭଳି ଚାହିଁ ରହିଛି ସେଥିରୁ ଏହା ସ୍ପଷ୍ଟଭାବେ ଦେଖାଯାଉଛି । କରୋନା ପାଇଁ ଜାରି ଜନତାକର୍ଫ୍ୟୁ ଠାରୁ ଆରମ୍ଭକରି ଲକ୍ଡାଉନ୍, ସଟ୍ଡାଉନ ଆଦି ସମୟରେ କମିଶନରେଟ ପୁଲିସ୍ ଯେଭଳି ତତ୍ପର ଥିଲା ତାହା ଆଉ ନାହିଁ । ରାସ୍ତା ଘାଟରେ ପୁଲିସ୍ର ପଇଁତରା ନାହିଁ କି ଅସହାୟକଙ୍କୁ ଆଉ ରିଲିଫ ଯୋଗାଣ ନାହିଁା କମିଶନରେଟ ପୁଲିସ୍ ଏବେ ନିଜେ ଏକ ପ୍ରକାର ଅସହାୟ ହୋଇପଡିଥିବାଭଳି ଲକ୍ଷ୍ୟ କରାଯାଉଛି ।
କରୋନା ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଜାରି ହୋଇଛି ରାତ୍ରୀକାଳୀନ କର୍ଫ୍ୟୁ । ଏହାକୁ ପାଳନ କରିବା ରାଜ୍ୟ ସରକାରଙ୍କ କାର୍ଯ୍ୟ । କମିଶନରେଟ ପୁଲିସ୍ର ଭୂମିକା ଏ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଗତ ପ୍ରାୟ ୧୫ଦିନ ହେଲା ଖୋଦ ରାଜଧାନୀରେ ଏହାକୁ ଦୋକାନୀଙ୍କ ବ୍ୟତିତ ଆଉ କେହି ମାନୁ ନାହାନ୍ତି । ପୁଲିସ୍ ବି ରାସ୍ତାଘାଟରେ ଆଉ କାହାରିକୁ ଅସମୟରେ ଯିବା ଆସିବାବେଳେ ଅଟକାଇ ଯାଞ୍ଚ କରୁନାହିଁ । ସଂଞ୍ଜ ହେଲେ ଦୋକାନୀଙ୍କୁ ଦୋକାନ ବନ୍ଦ ପାଇଁ କହିବା ପରେ ପୁଲିସ୍ର କାମ ଏକ ପ୍ରକାର ଶେଷ । ବଡ ଠାରୁ ସାନ ପର୍ଯ୍ୟନ୍ତ ପୁଲିସ୍ ବାବୁମାନଙ୍କର ଆଉ ଦେଖା ଦର୍ଶନ ନାହିଁା ପୁଲିସ୍ର ଅନୁପସ୍ଥିତ ଯୋଗୁଁ କେବଳ ଅମାନିଆମାନେ ସକ୍ରିୟ ହୋଇନାହାନ୍ତି ଚୋର ଓ ଲୁଟେରାମାନେ ବି ଏହାର
ଫାଇଦା ଉଠାଇବାରେ ଲାଗିଛନ୍ତି । ନିଶା ବେପାରୀଙ୍କର ତ ରାଜଧାନୀରେ ଏବେ ପୁଷମାସ ଚାଲିଛି ।ରାସ୍ତାଘାଟରେ ଗଞ୍ଜେଇ ଚରସ ସବୁକିଛି ମିଳୁଛି । କମିଶନରେଟ ପୁଲିସ୍ ନିର୍ବିକାର ଅବସ୍ଥାରେ ଥିବାବେଳେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କିନ୍ତୁ କରୋନା ମୁକାବିଲା ଲାଗି ଅଣ୍ଟା ଭିଡିଥିବା ଲକ୍ଷ୍ୟ କରାଯାଉଛି । କରୋନା ଠାବ ହେଉଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରିବା ଠାରୁ ଆରମ୍ଭକରି ଡାକ୍ତରଖାନା ଯାଞ୍ଚ ପର୍ଯ୍ୟନ୍ତ ସବୁକିଛି ଜୋରଦାର ଭାବେ ଚାଲିଛି ।
ଏପରିକି ବିଏମ୍ସି ମାର୍କେଟ ଠାରୁ ଆରମ୍ଭକରି ଡାକ୍ତରଖାନା ପର୍ଯ୍ୟନ୍ତ କାହାରିକୁ ଛାଡୁନାହିଁ । ଖିଲାପି ଦେଖିଲେ ସିଲ୍ କରି ଭୟ ସୃଷ୍ଟି କରିବାରେ ଲାଗିଛି । ଲୋକେ ବି ବିଏମ୍ସିର ଏଭଳି ପଦକ୍ଷେପକୁ ତାରିଫ କରୁଛନ୍ତି । ତେବେ ପୁଲିସ୍ ଯଦି ଏଭଳି ନିଷ୍କ୍ରିୟ ଅବସ୍ଥାରେ ରହିବ ତେବେ ବିଏମ୍ସି ଯେତେ ଚାହିଁଲେ ବି କଠୋର ପଦକ୍ଷେପ ନେଇପାରିବ ନାହିଁ ବୋଲି ଅନେକ ପ୍ରଶାସନିକ ଅଧିକାରୀ ମତ ଦେଉଛନ୍ତି । ତେଣୁ ରାଜଧାନୀରେ କରୋନାକୁ ରୋକିବାକୁ ହେଲେ ପୁଲିସ୍କୁ ପୂର୍ବଭଳି ପଦକ୍ଷେପ ନେବାକୁ ପହିବ ବୋଲି ସେମାନେ ମତ ଦେବା ସହିତ ବିଏମ୍ସି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।