ଭୁବନେଶ୍ୱର : ଅଟଳ ଇନୋଭେଶନ୍ ମିଶନ ଏବଂ ନୀତି ଆୟୋଗର ମିଳିତ ଉଦ୍ୟମରେ ଓଡ଼ିଶାରେ ପ୍ରଥମ ଅଟଳ ଇନକ୍ୟୁବେଶନ ସେଂଟର ଭୁବନେଶ୍ୱରର ଚନ୍ଦକାଠାରେ ଥିବା ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିଠାରେ ଶୁଭାରମ୍ଭ କରାଯାଇଛି । ଇନକ୍ୟୁବେଶନ ସେଂଟର ୧୦,୦୦୦ବର୍ଗଫୁଟ ପରିମିତ ଅଂଚଳରେ ସ୍ଥାପିତ ହୋଇଛି । ଏଠାରେ କୋ-ୱାର୍କିଂ ସ୍ଥାନ, ଟେକ୍ନିକାଲ ସପୋର୍ଟ, ଫଣ୍ଡିଂ ସହାୟତା, ମନିଟରି ସହାୟତା, ବିଜନେସ୍ ଭାଲିଡେଶନ୍, ଇଣ୍ଡଷ୍ଟି କନେକ୍ଟ, ଲିଗାଲ, ଆକାଉଟିଂ ଏବଂ ନିୟାମକ ସହାୟତା, ମାର୍କେଟ ସଂଯୋଗ ଆଦି ସୁବିଧା ଉପଲବ୍ଧ ହେବ । ଏହି ଇନକ୍ୟୁବେଶନ ସେଂଟର ଷ୍ଟାର୍ଟଅପ୍, ଇନୋଭେଟର ଏବଂ ଏଂଟ୍ରପ୍ର୍ୟୁନରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବ । ଏଠାରେ ଆଇଓଟି ,ଏଆଇ ଏବଂ ଡାଟା ଆନାଲିଟିକ୍ ଆଦି ଡିଜିଟାଲ ସମାଧାନ ଯୋଗାଇ ଦିଆଯିବ ।
ସେହିପରି ଶିକ୍ଷା ଏବଂ କୃଷି ଯନ୍ତ୍ରାଶଂ ଚାଷୀଙ୍କୁ ଏହାଦ୍ୱାରା ଯୋଗାଇ ଦିଆଯିବ । ବିଜନେସ୍ ପ୍ଲାନ୍ ମଡେଲ ଆଧାରରେ ଇନୋଭେଟର ଏବଂ ଗବେଷକଙ୍କୁ ପ୍ରଡକ୍ଟ ବିକାଶ ସହାୟତା ଏଠାରେ ଉପଲବ୍ଧ କରାଯିବ । ଏହି ଅବସରରେ ଏଆଇସି ନାଳନ୍ଦାର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ମଳୟ କୁମାର ପାଢ଼ୀ କହିଲେ, ଦେଶର ଆର୍ଥିର୍କ କ୍ଷେତ୍ରକୁ ଯୁବ ପ୍ରତିଭାଙ୍କ ଦ୍ୱାରା ବିକଶିତ କରିବା ଲାଗି ଆମ ରାଜ୍ୟ ଓଡ଼ିଶାରେ ବହୁ ଯୁବ ପ୍ରତିଭା ରହିଛନ୍ତି । ସେହିପରି ରାଜ୍ୟର ପ୍ରାକୃତିକ ସମ୍ପଦ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଯେଭଳି ଆଭର ଭବିଷ୍ୟତ ବଂଶଧର କାମଧନ୍ଦା ସନ୍ଧାନରେ ରାଜ୍ୟ ବାହରକୁ ନ ଯିବେ ସେଥି ପାଇଁ ଏହି ଇନକ୍ୟୁବେଶନ ସେଂଟରରେ ଉଦ୍ୟମ କରାଯିବ ।
ଏଠାରେ ନାଳନ୍ଦା ପକ୍ଷରୁ ଜାତୀୟସ୍ତରୀୟ ବିଜନେସ୍ ପ୍ଲାନ୍ କମ୍ପିଟେଶନ ୨୦୨୦- ବିଚାର ୧.୦ର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏଆଇସି ନାଳନ୍ଦା ଅଟଳ ଇନୋଭେଶନ ମିଶନ, ଷ୍ଟାର୍ଟଅପ୍ ଓଡ଼ିଶା, କାର୍ଭ ଷ୍ଟାର୍ଟଅପ୍ ଲ୍ୟାବସ୍ ଏବଂ ଏଚଡିଏଫିସି ବ୍ୟାଙ୍କର ମିଳିତ ସହଯୋଗରେ କାର୍ଯ୍ୟ କରିବ । ସମସ୍ତ ଶିକ୍ଷାର୍ଥୀ ଏବଂ ଷ୍ଟାର୍ଟଅପ୍ ଜାତୀୟସ୍ତରୀୟ ବିଜନେସ୍ ପ୍ଲାନ୍ କମ୍ପିଟେଶନ ୨୦୨୦- ବିଚାର ୧.୦ରେ ଅଂଶଗ୍ରହଣ କରିପାରିବେ । ଅନ୍ତିମ ଦିବସ ପରେ ସମସ୍ତ ଆବେଦନ ପତ୍ର ଗୁଡ଼ିକୁ ସ୍କ୍ରିନିଂ କରାଯିବ । ଶ୍ରେଷ୍ଠ ୧୦ ଆବେଦନକାରୀଙ୍କୁ ସେମାନଙ୍କ ବିଚାରଧାରା ଉପସ୍ଥାପନା ପାଇଁ ଡକାଯିବ ।
ପ୍ରଥମ ପ୍ରତିଯୋଗୀଙ୍କୁ ନଗଦ ୫୧,୦୦୦ଟଙ୍କାର ପୁରସ୍କାର, ଦ୍ୱିତୀୟ ପ୍ରତିଯୋଗୀଙ୍କୁ ୨୧,୦୦୦ଟଙ୍କାର ପୁରସ୍କାର, ତୃତୀୟ ପ୍ରତିଯୋଗୀଙ୍କୁ ୧୧,୦୦୦ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ସ୍ୱାନ୍ତନାମବୂଳକ ପୁରସ୍କାର ଭାବେ ୩ ଜଣଙ୍କୁ ନଗଦ ୫,୦୦୦ଟଙ୍କା ପ୍ରଦାନ କରାଯିବ । ଜାତୀୟସ୍ତରୀୟ ବିଜନେସ୍ ପ୍ଲାନ୍ କମ୍ପିଟେଶନ ୨୦୨୦- ବିଚାର ୧.୦ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ୨୦୨୦ ଜୁଲାଇ ୩୦ ତାରିଖ ରହିଛି ।
ଏହି ଅବସରରେ ଏଆଇସି ନାଳନ୍ଦାର ନିର୍ଦ୍ଦେଶକ ଧର୍ମେନ୍ଦ୍ର ଶ୍ରୀବାସ୍ତବ କହିଲେ, ଆମେ ଏକ ବହୁବିଧ ସୁଯୋଗର କେନ୍ଦ୍ରସ୍ଥଳ ପାଲଟିଛୁ । ଭାରତବ୍ୟାପି ଉଦ୍ୟୋଗୀ ଏଥିରେ ଅଂଶ ଗ୍ରହଣ କରିପାରିବେ । ଆମେ ଏକ ବିଜନେସ୍ ହାଉସ୍ ସ୍ଥାପନ ଲକ୍ଷ୍ୟ ରଖିଛୁ । ବିଚାର ୧.୦ ସୃଜନଶୀଳ ଉଦ୍ୟୋଗୀ ପ୍ରତିଭାଙ୍କ ଚିନ୍ତାଧାରାକୁ ପରିବ୍ୟପ୍ତ କରାଇବାକୁ ସକ୍ଷମ ହୋଇପାରିବ ।