ଭୁବନେଶ୍ୱର : ଘୋଷଯାତ୍ରାର ଅନ୍ୟତମ ଆଦ୍ୟପର୍ବ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଛି । କରୋନା ମହାମାରୀ ତାହାର କାୟା ବିସ୍ତାର କରି ଚାଲିଥିବାବେଳେ ମହାପ୍ରଭୁଙ୍କ ଏହି ନୀତିକାନ୍ତି ଅଟକି ନାହିଁ । ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ବିଶେଷକରି ଜନସାଧାରଣଙ୍କ ସହଯୋଗ ଯୋଗୁଁ ଏକ ପ୍ରକାର ଅସମ୍ଭବ କୁହାଯାଉଥିବା ସ୍ନାନଯାତ୍ରା ସମ୍ଭବ ହୋଇଛି । ଲକ୍ଷ ଲକ୍ଷ ଭକ୍ତ ଏହାକୁ ଟେଲିଭିଜନ ପରଦାରେ ଦେଖି ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଏବେ ଅପେକ୍ଷା ଘୋଷ ଯାତ୍ରାକୁ । ଚଳିତମାସ ୨୩ ତାରିଖରେ ଅନୁଷ୍ଠିତ ହେବ ଘୋଷଯାତ୍ରା । ଏଥିପାଇଁ ପୁରୀ ଚଳଚଞ୍ଚଳ । ଏହାଠାରୁ ଅଧିକ ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ । କରୋନା କଟକଣା ମଧ୍ୟମରେ କିଭଳି ଘୋଷଯାତ୍ରା ହେବ ତାହାକୁ ନେଇ ସଂଶୟ ଥିବାବେଳେ କର୍ତ୍ତୃପକ୍ଷ କିନ୍ତୁ ମହାପ୍ରଭୁଙ୍କୁ ମୁଣ୍ଡିଆମାରି କାମ ଆଗକୁ ବଢାଇବାରେ ଲାଗିଛନ୍ତି । ପ୍ରାୟ ୧୦ଦିନ ବିଳମ୍ବରେ ଆରମ୍ଭ ହୋଇଥିବା ରଥକାର୍ଯ୍ୟ ଏବେ ଯଥା ସମୟରେ ଚାଲିଛି । ତିନିଦିନ ପୂର୍ବରୁ ଚାରି ନାହାକା ଉଠିବା ପରେ ମହାରଣା, ଭୋଇ ସେବାୟତମାନେ ଆଶ୍ୱସ୍ତ ହୋଇଛନ୍ତି ।
ଶ୍ରୀମନ୍ଦିର ଭିତରେ ରଥ ଅନୁକୂଳ ଠାରୁ ରଥ ନିର୍ମାଣ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟ ଉପରେ ନଜର ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଖୋଦ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ମହାରଣା, ଭୋଇ, ରୂପକାର ଓ ଅନ୍ୟ ସେବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱ ଦେବା ସହିତ କୌଣସି ସ୍ଥିତିରେ ଯେଭଳି କରୋନା ମାର୍ଗଦର୍ଶିକା ଉଲ୍ଲଙ୍ଘନ ନହୁଏ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ସୁରୁଖୁରୁରେ ସ୍ନାନପୂର୍ଣ୍ଣିମା ସମାପ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ପୁରୀ ଗଜପତି ମଧ୍ୟ କରୋନା ମାର୍ଗଦର୍ଶିକା ମାନି ଛେରା ପହଁରାରୁ ଦୂରେଇ ରହିଥିବାରୁ ତାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଜିର ଆଭିମୁଖ୍ୟ ପରେ ରଥଯାତ୍ରା ହେବା ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସୁକତା ଦେଖା ଦେଇଛି । ସ୍ନାନ ପୂର୍ଣ୍ଣିମାପାଇଁ ଯେଭଳି ପ୍ରଶାସନ କଟକଣା ଲଗାଇଲା ଓ ପୁରୀବାସୀ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କଲେ ଅନୁରୂପ ଭାବେ ରଥଯାତ୍ରାରେ ଲୋକଙ୍କ ସହଯୋଗ ମିଳିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି । ଗୋଟିଏ ପଟେ ପ୍ରଶାସନ ଘୋଷଯାତ୍ରା ପାଇଁ ତାହାର ଉଦ୍ୟମ ଜାରି ରଖିଥିବାବେଳେ ଅନ୍ୟ ପଟେ ଦଳମତ ନିର୍ବିଶେଷରେ ସମସ୍ତେ ରଥଯାତ୍ରା ପାଇଁ ପ୍ରଶାସନ ସହିତ ଥିବା ଲକ୍ଷ୍ୟ କରାଯାଉଛି । କୌଣସି ନକରାତ୍ମକ ମନୋଭାବକୁ ସାଧାରଣରେ ଗ୍ରହଣ କରାଯାଉନଥିବାରୁ ବିରୋଧର ସ୍ୱର ଧିରେ ଧିରେ ନରମିବାରେ ଲାଗିଛି ।
ଇତି ମଧ୍ୟରେ ଘୋଷଯାତ୍ରାକୁ ନେଇ ଅଦାଲତରେ ରୁଜୁ ହୋଇଥିବା କିଛି ମାମଲାକୁ ମାନ୍ୟବର ନ୍ୟାୟାଳୟ ସିଧାସଳଖ ଖାରଜ କରିଦେଇଥିବାବେଳେ ଅନ୍ୟ ମାମଲା ଗୁଡିକ ମଧ୍ୟ ଅନୁରୂପ ଭାବେ ଖାରଜ ହୋଇଯିବ ବୋଲି ସମସ୍ତେ ଆଶାବାନ୍ଧି ବସିଛନ୍ତି । ପୁରୀରେ ସୁରୁଖୁରୁ ସ୍ନାନଯାତ୍ରା ସରିବାପରେ ପୁରୀବାସୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ଅଧିକ ସଚେତନ ହୋଇପଡିଛନ୍ତି । ସହରରେ କରୋନା ଯେଭଳି କାୟା ବିସ୍ତାର ନକରେ ସେଥିପାଇଁ ନିଜଆଡୁ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛନ୍ତି । ଲୋକଙ୍କ ମନୋଭାବ, ସେବାୟତଙ୍କ ସହଯୋଗ, ପ୍ରଶାସନର ଉଦ୍ୟମ ଓ ସରକାରଙ୍କ ଆଭିମୁଖ୍ୟ ଏବେ ଭକ୍ତଙ୍କୁ ରଥଯାତ୍ରା ଆଡକୁ ଆଗେଇ ନେଉଥିବାବେଳେ ସବୁସେହି ମହାପ୍ରଭୁଙ୍କ ଇଚ୍ଛା ବୋଲି ଏକ ସ୍ୱରରେ ସମସ୍ତେ କହୁଥିବା ଶୁଣିବାକୁ ମିଳୁଛି ।