ଭୁବନେଶ୍ବର() ଅମ୍ପାନ ମୁକାବିଲା ପାଇଁ ସରକାର ଉପକୂଳ ଓଡିଶାର ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଆସନ୍ତାକାଲି ଠାରୁ ସମୁଦ୍ର ଉପକୂଳରୁ ୫ କିଲୋମିଟର ମଧ୍ୟରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି ।
ସେପଟେ, ବାତ୍ୟାକୁ ନେଇ ପଂଚାୟତରାଜ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ଥିତି ସମୀକ୍ଷା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର କିପରି ପ୍ରସ୍ତୁତି କରିଛନ୍ତି ନିଜେ ପଂଚାୟତିରାଜ ମନ୍ତ୍ରୀ ଉପସ୍ଥିତ ରହି ଏହାର ସମୀକ୍ଷା କରିଛନ୍ତି । ବାତ୍ୟା ସମୟରେ ବିଜୁଳି ସେବା ବାଧାପ୍ରାପ୍ତ ହେଲେ ପିଇବା ପାଣି ପ୍ରକଳ୍ପ ସ୍ଥଳରେ ଜେନେରେଟର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟରେ ୭ ହଜାର ୬ ଶହ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଥିବା ମନ୍ତ୍ରୀ କହିଛନ୍ତି । ବାତ୍ୟା ଅମ୍ଫାନ ପାଇଁ ରାଜ୍ୟ ସରକାର ୫ଟି ଜିଲ୍ଲା ଉପରେ ଫୋକସ୍ ରଖିଛନ୍ତି । ସରକାର ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଛନ୍ତି । ପ୍ରଭାବିତ ହେବାକୁ ଥିବା ୧୬ ସହରରେ ବିଜ୍ଞାପନ ହୋର୍ଡିଂ ଉଛେଦ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଏପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ଅଛି ଓଡିଶା ଅଗ୍ନିଶମ ବିଭାଗ । ୩୩୮ଷ୍ଟେସନର ୫ ହଜାରରୁ ଅଧିକ ଅଗ୍ନିଶମ ଅଧିକାରୀ ଏଥିରେ ସାମିଲ ଅଛନ୍ତି । ବାତ୍ୟା ମୁକାବିଲା ପାଇଁ ବାଲେଶ୍ୱର , ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଯାଜପୁର ଓ ପୁରୀ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ଆବଶ୍ୟକ ଯନ୍ତ୍ରପାତି ପ୍ର୍ରସ୍ତୁତ ଅଛି ।