ଭୁବନେଶ୍ୱର() ଚଳିତ ବର୍ଷ ସ୍ବାଭାବିକ ଜଳବାୟୁରେ କିଛିମାତ୍ରାରେ ପରିବର୍ତ୍ତନ ହୋଇଛି। ମାର୍ଚ୍ଚରୁ ଜୁନ୍ ମଧ୍ୟରେ ରାଜ୍ୟକୁ ସାଧାରଣତଃ ଉତ୍ତର-ପୂର୍ବ ଦିଗରୁ ଉତ୍ତପ୍ତ ବାୟୁ ପ୍ରବାହ ହୋଇଥାଏ। ଏଥିଯୋଗୁ ଉତ୍ତର ଭାରତ ସମେତ ଓଡ଼ିଶାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ତେବେ ଚଳିତ ବର୍ଷ ଭୂପୃଷ୍ଠରୁ ୧୨ କି.ମି. ଉପରେ ଉତ୍ତର-ପଶ୍ଚିମ ଦିଗରୁ ଉଷ୍ମବାୟୁ ଘଣ୍ଟାକୁ ୧୫୦ କି.ମି. ବେଗରେ ବହୁଛି। ଅନ୍ୟପକ୍ଷରେ ଭୂପୃଷ୍ଠର ୩.୧ କି.ମି. ଉପରେ ଦକ୍ଷିଣ-ପଶ୍ଚିମ ଦିଗରୁ ଜଳୀୟବାଷ୍ପ ଭରା ବାୟୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଚଳିତ ବର୍ଷ ଅଧିକମାତ୍ରାରେ କାଳବୈଶାଖୀ ବା ଝଡ଼ବର୍ଷା ହେଉଛି। ବିଶେଷକରି ରାଜ୍ୟର ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଲଗାତର ଝଡ଼ବର୍ଷା ହେଉଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଭଦ୍ରକ ଏବଂ ଢେଙ୍କାନାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ରହିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।