Odia News Portal

ଏଣିକି ଅନଲାଇନରେ ମିଳିବ ପନିପରିବା

ଭୁବନେଶ୍ୱର() କରୋନା ମୁକାବିଲା ପାଇଁ ଏବେ ରାଜ୍ୟରେ ଜାରି ରହିଛି ଲକଡାଉନ । ଏହି ସମୟରେ ଯାନବାହାନ ଚଳାଚଳ ବନ୍ଦ ଓ ନିର୍ଦ୍ଧିଷ୍ଟ ସମୟ ସୀମା ପାଇଁ ହାଟ ପାଇଁ ଅନୁମତି ଦିଆଯାଇଥିବାରୁ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ପନିବରିବା ଚାଷୀ । ଅଧିକାଂଶ ସ୍ଥାନରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ ବିଲରେ ହିଁ ନଷ୍ଟ ହୋଇଛି । ବାହାର ଅଞ୍ଚଳର ବ୍ୟବସାୟୀ ଗ୍ରାମାଞ୍ଚଳକୁ ଆସିପାରୁନାହାନ୍ତି । ବିଲରେ ସୁନାର ଫସଲ ଫଳିଥିଲେ ହେଁ ବଜାର ନାହିଁ । ଯାହାକୁ ନେଇ ଧାର କରଜ କରି ଚାଷ କରିଥିବା ସାରା ରାଜ୍ୟରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।

ତେବେ ଏହାରି ଭିତରେ ବଜାରକୁ ବିକ୍ରି ଯୋଗ୍ୟ ପନିପରିବା ଆଣିବା ପାଇଁ କୃଷି ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି । ପନିପରିବା ବିକ୍ରି ଓ ଗଚ୍ଛିତ ସମ୍ପର୍କରେ ଜାଣିବା ପାଇଁ ଏକ ନୂଆ ୱେବସାଇଟ ଖୋଲାଯାଇଛି । କେଉଁ ଅଞ୍ଚଳରେ କେତେ ପନିପରିବା ଉତ୍ପାଦନ ହେଉଛି ତା’ର ସମ୍ପୂର୍ଣ୍ଣ ତଥ୍ୟ ଉକ୍ତ ୱେବସାଇଟରେ ରହିବ । ଏହି ୱେବସାଇଟ ଟି ହେଲା odihortmarketing.nic.in । ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ୱେବସାଇଟରେ ତଥ୍ୟ ଅପଲୋଡ କରିବେ । ଏହା ମାଧ୍ୟମରେ ରାଜ୍ୟରେ ଚାଷୀଙ୍କ ପାଇଁ ବଜାର ସୃଷ୍ଟି ହେବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏନେଇ ରାଜ୍ୟରୁ ୧୫ଶହରୁ ଉଦ୍ଧ୍ୱର୍ ବ୍ୟବସାୟୀ ନାଁ ପଞ୍ଜିକରଣ କରିଥିବା ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।