ଭୁବନେଶ୍ୱର() ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡାକୋଟା’ ଖୁବଶୀଘ୍ର ଓଡ଼ିଶା ଆସିବ । ଡାକୋଟାକୁ କୋଲକାତାରୁ ଭୁବନେଶ୍ୱର ଅଣାଯିବ । କୋଲକାତାରୁ ଡାକୋଟା ବିମାନର ପାର୍ଟସକୁ ଖୋଲି କରି ଏହାକୁ ଅଣାଯିବ । ଭୁବନେଶ୍ୱରରେ ପାର୍ଟସକୁ ଖଞ୍ଜିବା ପରେ ଏହି ପୁରାତନ ବିମାନକୁ ବିଜୁ ପଟ୍ଟନାୟକ ବିମାନବନ୍ଦରର ଏକ ସ୍ୱତନ୍ତ୍ର ସ୍ଥାନରେ ରଖାଯିବ । ସାରା ବିଶ୍ୱବାସୀଙ୍କୁ ବିଜୁ ବାବୁଙ୍କ ବୀରତ୍ୱ ଗାଥା କହିବ ‘ଡାକୋଟା’ । ଏଭଳି ଯୋଜନାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ତେଜିଛି । ଆସନ୍ତା ୧୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ସମ୍ଭାବନା ଅଛି ।
ବିଜୁ ବାବୁଙ୍କ ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍ସରେ ୧୪ଟି ବିମାନ ଥିଲା। ଏଥିମଧ୍ୟରୁ ଡାକୋଟା ଥିଲା ତାଙ୍କର ସବୁଠୁ ପ୍ରିୟ। ଡାକୋଟାକୁ ନିଜେ ବିଜୁ ବାବୁ ବ୍ୟବହାର କରୁଥିଲେ। ଏପରିକି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶତ୍ରୁପକ୍ଷର ଛାତିଚିରି ନିଜର ପରାକାଷ୍ଠା ଦେଖାଇଥିଲା ଡାକୋଟା। ମାତ୍ର ପରବର୍ତ୍ତୀ ସମୟରେ ଡାକୋଟା ବିମାନର କିଛି ଖବର ନଥିଲା। ହେଲେ ହଠାତ୍ ଏହି ଡାକୋଟା ବିମାନକୁ କୋଲକତା ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଐତିହାସିକ ଅନୀଲ ଧୀର୍ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।