Odia News Portal

ବାରବାଟୀରେ ଥିଲା ସ୍ୱତନ୍ତ୍ର ସୁଡଙ୍ଗ

କଟକ() ରବିବାର ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଦୁଇ ଦଳ ଆଜି ଷ୍ଟାଡିୟମ ଯାଇ ଅଭ୍ୟାସ କରୁଛନ୍ତି । ସମୟ ଗଡିବା ସହ ଲୋକଙ୍କ ଉକ୍ରଣ୍ଠା ମଧ୍ୟ ବଢିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ବାରବାଟୀର କିଉି ଅଭୁଲା ଇତିହାସ …

ବାରବାଟୀ ଷ୍ଟାଡିୟମରେ କ୍ରିକେଟ୍ ଖେଳାଯିବା ପୂର୍ବରୁ ଏଠାରେ ଫୁଟବଲ୍ ଓ ଦୌଡ଼କୁଦ ପ୍ରତିଯୋଗିତା ଅଧିକ ହେଉଥିଲା। ତେଣୁ ବାରବାଟୀକୁ ଆନ୍ତର୍ଜାତିକ ଛାପ ଦେବା ପାଇଁ ଏଠାରେ ଏକ ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା। ୧୯୬୪ ମସିହାରେ ଭୈରବ ମହାନ୍ତି ରୁଷିଆ ଗସ୍ତ ବେଳେ ମସ୍କୋସ୍ଥିତ ଡାଏନାମୋ ଷ୍ଟାଡିୟମରେ ଥିବା କ୍ରୀଡ଼ାବିତଙ୍କ ସୁଡ଼ଙ୍ଗ ପ୍ରତି ଆକୃଷ୍ଟ ହେବା ସହ ବାରବାଟୀରେ ଏଭଳି ସୁଡ଼ଙ୍ଗ ପାଇଁ ଚିନ୍ତା କରିଥିଲେ। ୧୯୬୯ ମସିହାରେ ୭୩ ହଜାର ୨୦୦ ଟଙ୍କା ବ୍ୟୟରେ ବର୍ତ୍ତମାନର ନ୍ୟୁ ପାଭିଲିଅନ୍ ତଳେ ଏହାକୁ ନିର୍ମାଣ କରାଯାଇଥିଲା। ଫୁଟବଲ୍ କିମ୍ବା ଦୌଡ଼କୁଦ ପ୍ରତିଯୋଗିତା ବେଳେ ଏହି ସୁଡ଼ଙ୍ଗ ଦେଇ ଖେଳାଳିମାନେ ପଡ଼ିଆ ଭିତରକୁ ପ୍ରବେଶ କରୁଥିଲେ। ଏହି ସୁଡ଼ଙ୍ଗର ଅନ୍ୟ ଏକ ମୁହଁ ବର୍ତ୍ତମାନର ଓସିଏ କ୍ଲବର ଗେଟ୍ ତଳେ ରହିଛି। ସେହି ସୁଡ଼ଙ୍ଗ ବାଟ ଦେଇ ଫୁଟବଲ୍ ଖେଳାଳିମାନେ ପଡ଼ିଆ ଭିତରକୁ ପ୍ରବେଶ କରୁଥିଲେ। ହେଲେ କ୍ରିକେଟ୍ ଆସିବା ପରେ ସୁଡ଼ଙ୍ଗର ବ୍ୟବହାର କମିଗଲା। ଖେଳାଳିଙ୍କ ସୁରକ୍ଷା ଓ ଅନଧିକାର ପ୍ରବେଶ ଦୃଷ୍ଟିରୁ ସୁଡ଼ଙ୍ଗକୁ ମ୍ୟାଚ୍ ବେଳେ ବନ୍ଦ କରାଯାଉଥିଲା। ପର୍ୟ୍ୟାୟକ୍ରମେ ଯେତେବେଳେ ୨୦୦୮ ମସିହାରେ ବାରବାଟୀ ଷ୍ଟାଡିୟମର ନବକଳେବର କରାଗଲା, ସେତେବେଳେ ସୁଡ଼ଙ୍ଗକୁ ବାଲି ପକାଯାଇ ପୋତି ଦିଆଯାଇଥିଲା। ଏବେ ସେହି ସୁଡ଼ଙ୍ଗ ଉପରେ ନ୍ୟୁ ପାଭିଲିଅନ ଛିଡ଼ା ହୋଇଛି ।