ଭୁବନେଶ୍ୱର() ୬ଟି ଜିଲ୍ଲାକୁ ମୋ ସରକାର ଟିମର ଗସ୍ତ ପରେ ସ୍ୱାସ୍ଥ୍ୟ ଭିତ୍ତି ଭୂମି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ।୬ଟି ମେଡିକାଲ କଲେଜର ରୋଗୀ କଲ୍ୟାଣ ସମିତିକୁ ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ନବୀନ ଘୋଷଣା କରିଛନ୍ତି । ଏହି ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦ୍ରାପଡା, ବଲାଙ୍ଗିର ଓ ସୋନପୁର ।
ସେହିପରି ୬ଟି ଜିଲ୍ଲାରେ ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ ପୋଲିସ ଏସପିଙ୍କୁ ୧୦ ଲକ୍ଷ ଲେଖାଏଁ ମିଳିବ । ଏଥିସହ ହସ୍ପିଟାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ନିର୍ମାଣ ହେବ ବିଶ୍ରାମ କକ୍ଷ । ସମ୍ବଲପୁର ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ । ୫୦ଟି ଅତିରିକ୍ତ ଶଯ୍ୟା ସହ କାଜୁଆଲିଟି, ବହିର୍ବିଭାଗ କୋଠା ବି ନିର୍ମାଣ ହେବ । ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ନିର୍ମାଣ ହେବ ମାଆ ଗୃହ । ଖାଲି ସେତିକି ନୁହେଁ ରୋଗୀ ପରୀକ୍ଷା ପାଇଁ ବି ବ୍ୟବସ୍ଥା କରାଯିବ । ଲାବ୍ରୋଟୋରୀ ଉନ୍ନତିକରଣ, ଡାଏଲିସିସ୍ ୟୁନିଟ ଏବଂ ଆଇସିୟୁ ପ୍ରତିଷ୍ଠା ହେବ । ବୁର୍ଲା ଭୀମସାରରେ ଏକ ସାଟେଲାଇଟ ସେଣ୍ଟର ବିକଶିତ କରାଯିବ । ଅନୁଗୁଳ ହସ୍ପିଟାଲରେ ଶଯ୍ୟା ସଂଖ୍ୟାକୁ ୧୯୨ରୁ ୩୦୦କୁ ବୃଦ୍ଧି କରାଯିବ । କେନ୍ଦ୍ରାପଡାରେ, ସୋନପୁରରେ ଶଯ୍ୟା ବୃଦ୍ଧି ସହ ଅନେକ ଭିତ୍ତିଭୂମି ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି ।