Odia News Portal

ମହିଳାଙ୍କୁ କେବେ ମିଳିବ ଇନ୍ଦିରା ଆବାସ ?

ଘୁ. ଉଦୟଗିରି : କନ୍ଧମାଳ ଜ଼ିଲ୍ଲା କୋଟଗଡ ବ୍ଲକ ଅଧୀନସ୍ଥ ମାଦାଗୁଡ଼ା ଗ୍ରାମ ପଞ୍ଚାୟତର ଦୁରିଂପୋଡି ଗ୍ରାମ । ଏହି ଗ୍ରାମରେ ରାଜନ୍ତି ମଲିକ ନାମକ ଜଣେ ବିଧବା ମହିଳା ପରିବାର ସହ ବସବାସ କରନ୍ତି । ପାଖପାଖି ୧୮ ବର୍ଷ ପୂର୍ବେ ରାଜନ୍ତି ମଳିକଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟି ଥିଲା । ଦିନ ମଜୁରୀ ଭାବେ କାମ କରି ମହିଳା ଜଣକ ପରିବାର ପ୍ରତିପୋଶନ କରି ଆସୁଛନ୍ତି ।

ହେଲେ ଦୀର୍ଘ ଦିନ ହେବ ରହିବା ପାଇଁ ଏକ ଇନ୍ଦିରା ଆବାସ ଘର ଯୋଗାଇ ଦେବା ପାଇଁ ପ୍ରଶାସନ ପାଖରେ କାକୁତିମିନତୀ କରି ଆସୁ ଥିଲେ ମଧ୍ୟ କେହି ଶୁଣୁନ ଥିବା ରାଜନ୍ତି ଏବଂ ତାଙ୍କର କଲେଜ ପଢୁଆ ଝିଅ ଅଭିଯୋଗ କରି ଛନ୍ତି । ବର୍ତ୍ତମାନ ମହିଳା ଏବଂ ତାଙ୍କ ପରିବାର ବିପଦ ସଂକୁଳ ଅବସ୍ଥାରେ ଏହି ଘରେ ରହୁ ଥିବା କହିଛନ୍ତି । ଏହି ଲଗାନ ବର୍ଷାରେ ଘରର କାନ୍ଥଗୁଡ଼ାକରୁ ମାଟି ଖସୁ ଥିବାରୁ ତାଙ୍କ ପରିବାର ସଦସ୍ୟଙ୍କ ଜୀବନ ବିପଦରେ ଥିବା ରାଜନ୍ତି କହି ଛନ୍ତି । ତେଣୁ ଯଥା ସମ୍ଭବ ରହିବା ପାଇଁ ଏକ ଇନ୍ଦିରା ଆବାସ ଘର ଯୋଗାଇ ଦେବା ପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି ।

ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇ ପଡୁଛି ଯେ ଗରିବ ଆଦିବାସୀ ବିକାଶର ଯୋଜନା । ଅନ୍ୟ ପକ୍ଷରେ ସରକାର ଗରିବ ଆଦିବାସୀଙ୍କ ବିକାଶ ପାଇଁ ଯୋଜନା ଉପରେ ଯୋଜନା ଘୋଷଣା କରୁଛନ୍ତି । ହେଲେ ରାଜନ୍ତି ମଲିକ ପରିଙ୍କ ଅନେକ କନ୍ଧମାଳ ବାସୀ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଥିବା ଘଟଣା ଅନେକ ସମୟ ଦେଖିବାକୁ ମିଳିଛି । କିନ୍ତୁ ପ୍ରଶାସନର ଏହାକୁ ଗୁରୁତର ଭାବେ ଗ୍ରହଣ ନକରି ଅଣଦେଖା କରୁଥିବା ଗରିବ ଆଦିବାସୀଙ୍କ ପାଇଁ କାଳ ହୋଇଛି । ତେଣୁ ରାଜନ୍ତି ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।