ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରୁ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ଘଟଣା । ୭ ଦିନ ପରେ ମିଳିଲା ମୃତଦେହ । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି ମୃତଦେହ । ପୁଲିସ ସନ୍ଦେହରେ ରତନପୁର ଗାଁର ବାପି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରା ପରେ ଅଭିଯୁକ୍ତ ସବୁ ସତ କଥା ପୁଲିସ ଆଗରେ ମାନିଯାଇଥିବା ସୂଚନା ମିଳିଛି ।
୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ପରଠୁ ସନ୍ଧାନୀ କୁକୁର ଛାନଭିନ୍ ଚଳାଇଥିଲା । ଦୁଇ-ତିନିଥର ସନ୍ଧାନୀ କୁକୁର ବାପି ସାହୁଙ୍କ ଘରକୁ ଯାଇଥିବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା । ପରେ ପଚରାଉଚରା କରିବାରୁ ସତ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାଜଧାନୀରୁ ନିଖୋଜ ଶୁଭମ୍କୁ ଉଦ୍ଧାର କରାଯାଇଛି । ଯାଜପୁରରୁ ମୟୂରଭଞ୍ଜର ସାଢେ ୪ ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି । ଆଉ ଏତିକି ବେଳେ ଡେଲାଙ୍ଗରୁ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟପଟେ ଯାଜପୁର ଜିଲ୍ଲାର ପିହୁ ୫ ବର୍ଷ ହେଲା ନିଖୋଜ ଥିଲେ ବି ତାର ପତ୍ତା ପାଉନି ପୁଲିସ । କେବଳ ପିହୁ ନୁହେଁ, ୨୦୨୦ରୁ ୨୦୨୪ ଭିତରେ ପିହୁ ଭଳି ହଜାର ହଜାର ପିଲା ନିଖୋଜ ଅଛନ୍ତି । ସେମାନଙ୍କ ପରିବାର ଆଜି ବି ପିଲାର ଫେରିବା ବାଟକୁ ଚାହିଁ ବସିଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତଥ୍ୟ ଅନୁସାରେ, ୨୦୨୦ରୁ ୨୪ ଭିତରେ ନିଖୋଜ ଥିବା ୮ ହଜାର ୪୦୩ ପିଲାଙ୍କର ପତ୍ତା ମିଳୁନି ।