Odia News Portal

ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଧନ୍ୟବାଦ

ଚଳିତବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ପାଳିତ ହୋଇଛି ଓଡ଼ିଆ ପକ୍ଷ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସଠାରୁ ଆରମ୍ଭ କରି ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ବହୁ ଆଡ଼ମ୍ବର ସହକାରେ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ’ର ପାଳନ କରାଯାଇଥିଲା। ଓଡ଼ିଆ ପକ୍ଷ ପାଳନକୁ ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତାର ମହାପର୍ବ ରୂପେ ପାଳନ କରାଯିବା ସହିତ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ନିଜର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ଓଡ଼ିଆ ଘରର ଗାଥା-ଗୌରବ, କଥାସରିତା, ଚାଲି-ଚଳଣି, ଖାଦ୍ୟ-ପାନୀୟ, ପୋଷାକ-ପରିଧାନ ସଂସ୍କୃତି ଓ ପରମ୍ପରାକୁ ପୁନଶ୍ଚ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ୧୪ ଦିନ ଧରି ଓଡ଼ିଶାର ପ୍ରତ୍ୟେକ ବ୍ଲକ ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା। ତେବେ ଓଡ଼ିଶା ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ପାଇବାର ୯୦ ବର୍ଷ ପରେ ଓଡ଼ିଆ ପକ୍ଷ ପାଳନ କରାଯିବାର କଣ ପ୍ରୟୋଜନ ରହିଥିଲା, ତାହା ଅନେକଙ୍କ ମନରେ ହୁଏତ ପ୍ରଶ୍ନବାଚୀଟିଏ ସୃଷ୍ଟି କରିପାରେ, କିନ୍ତୁ ଏହାର ଗଭୀର ବିଶ୍ଳେଷଣ କଲେ ମନେହୁଏ ଯେ, ଓଡ଼ିଆ ମନର ଗଭୀର ଆବେଗ, ଓଡ଼ିଆ ପ୍ରାଣର ଆତ୍ମସ୍ପନ୍ଦନ ଏବଂ ଓଡ଼ିଆ ଚିନ୍ତାଚେତନାର ଅଭିବ୍ୟକ୍ତିକୁ ପ୍ରତୀତ କରିବା ପାଇଁ ଓଡ଼ିଆ ପକ୍ଷ ପାଳନର ବହୁ ଆବଶ୍ୟକତା ରହିଥିଲା।

ଆମ ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ, ଅନୈକ୍ୟ ମଧ୍ୟରେ ଐକ୍ୟ, ବୈସାଦୃଶ୍ୟ ମଧ୍ୟରେ ସାଦୃଶ୍ୟ ଏବଂ ବୈଷମ୍ୟ ମଧ୍ୟରେ ସାମ୍ୟ ଦୃଷ୍ଟି କରିବା ହିଁ ହେଉଛି ଆମ ଓଡ଼ିଆ ସଂସ୍କୃତିର ମୂଳମନ୍ତ୍ର। ଅନେକ ଶୂରବୀର, ବରପୁତ୍ରମାନଙ୍କ ପବିତ୍ର ଜନ୍ମମାଟି ଓଡ଼ିଶା, ସମୃଦ୍ଧ କଳା, ଶିଳ୍ପ ଓ ଭାସ୍କର୍ଯ୍ୟ, ସୁଦୀର୍ଘ ନଦୀ, ପର୍ବତ, ମନ୍ଦିର, ସରସ ସୁନ୍ଦର ସବୁଜିମା, ସୁନୀଳ ବେଳାଭୂମି ଏବଂ ସମ୍ମୋହିତ ପର୍ଯ୍ୟଟନ ବିଭବରେ ପରିପୂର୍ଣ୍ଣ। ତେବେ, ଅନେକ ସାମ୍ରାଜ୍ୟ ଓ ଜାତିର ଉତ୍‌ଥାନ ପତନ ହେବା ଭଳି ଏହି ଓଡ଼ିଆ ଜାତି ମଧ୍ୟ ଅନେକ ବାଧାବିଘ୍ନ ଦେଇ ଗତିକରିଛି। ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ଏବଂ ପରେପରେ ଓଡ଼ିଆ ଜାତି, ଓଡ଼ିଆ ଭାଷା ଅବନତି ଆଡ଼କୁ ଗତି କରିବା ଆଦି ଘଟଣାକ୍ରମ ଓଡ଼ିଆ ଜାତିର ମେରୁଦଣ୍ଡ ଉପରେ ଏକ ଶକ୍ତ ପ୍ରହାର କରିଥିଲା ସତ, କିନ୍ତୁ ଏହା ଓଡ଼ିଆ ମନର ସ୍ୱାଭିମାନକୁ ଭାଙ୍ଗିବାରେ ଅକ୍ଷମ ହୋଇଥିଲା। ଫଳସ୍ବରୂପ ଓଡ଼ିଆ ପରିଚୟ, ଓଡ଼ିଆ ଭାଷା ଓ ଓଡ଼ିଆ ଅସ୍ମିତାକୁ ନେଇ ହୋଇଥିବା ମୁକ୍ତି ସଂଗ୍ରାମରେ ଗୌରବଦୀପ୍ତ ଓଡ଼ିଆ ଜାତି ସାମିଲ ହୋଇଥିଲା। ଉତ୍କଳଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, କର୍ମବୀର ଗୌରୀଶଙ୍କର, ବ୍ୟାସକବି ଫକୀରମୋହନ, ସ୍ବଭାବକବି ଗଙ୍ଗାଧର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଗୋପାଳଚନ୍ଦ୍ର ପ୍ରହରାଜ, ଭକ୍ତକବି ମଧୁସୂଦନ ରାଓ, ମା’ ରମାଦେବୀଙ୍କ ଭଳି ଅନେକ ଭାଷାପ୍ରେମୀଙ୍କ ଅନବଦ୍ୟ ଅବଦାନରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଏବଂ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷାର ମାନ୍ୟତା ପ୍ରାପ୍ତ କରିଥିଲା। ଓଡ଼ିଆ ଭାଷା ହିଁ ହୋଇଥିଲା ଓଡ଼ିଆ ଜାତୀୟତାର ମୂଳଭିତ୍ତି। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇ ଆମ ବରପୁତ୍ରମାନଙ୍କର ସାମୂହିକ ଉଦ୍ୟମ ଏବଂ ଭାଷାର ସାମର୍ଥ୍ୟକୁ ପ୍ରତିପାଦିତ କରିଥିଲା। କିନ୍ତୁ, ଏବେ ପ୍ରଶ୍ନ ଉଠେ ଯେ, ବର୍ତ୍ତମାନର ସମୟରେ ଆମେ ଆମ ଇତିହାସ, ସଂସ୍କୃତି, ବୀରତ୍ବ, ସାମର୍ଥ୍ୟ ଓ ପରିଚୟ ସହିତ କେତେ ସଂପୃକ୍ତ ? ଆଜିର ଏହି କୃତ୍ରିମ ବୁଦ୍ଧିମତ୍ତା ଯୁଗର ଆଧୁନିକ ସ୍ବପ୍ନରେ ଅତୀତର ସ୍ୱର୍ଣ୍ଣିମ ପୃଷ୍ଠା ସବୁ ବିସ୍ମୃତ ହୋଇଯାଇନି ତ ?

୧୮୭୦ ମସିହାରେ ବାଲେଶ୍ୱର ଜିଲ୍ଲା ବିଦ୍ୟାଳୟରେ ଶିକ୍ଷକତା କରୁଥିବା ପଣ୍ଡିତ କ୍ରାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ଉକ୍ତି ‘ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନଏ’ ଏବଂ ଏହି ଘଟଣାର ପ୍ରାୟ ୧୫୦ ବର୍ଷ ପରେ ଆଜିର ଆଧୁନିକ ଯୁଗରେ କୃତ୍ରିମ ବୁଦ୍ଧିମତା ଉପରେ ପର୍ଯ୍ୟବସିତ ବିଭିନ୍ନ ସଫ୍ଟୱେର ଆପ୍ ର ଉତ୍ତର ‘ଆଇ ଡୋଣ୍ଟ ଅଣ୍ଡରଷ୍ଟାଣ୍ଡ ଓଡ଼ିଆ ୟେଟ’ ଏକ ଅସହଜ ସାମଞ୍ଜସ୍ୟ ଭଳି ମନେହୁଏ। ଓଡ଼ିଆ ଘର ବାହାଘର ସମୟର ପାରମ୍ପରିକ ବସ୍ତ୍ର ଧୋତି ଏବଂ ବଉଳ ପାଟର ସ୍ଥାନ ବର୍ତ୍ତମାନର ଶେରୱାନି ଓ ଲେହେଙ୍ଗା ନେବା, ଆରିଶା ଓ ଗଇଁଠା ପିଠାକୁ ଆଦରି ନେବା ଜାଗାରେ ପ୍ୟାନକେକ୍‌ର ଯୁଗ ଆସିବା, ଆଈ ମା’ ର ସେ ‘‘ଧୋ ରେ ବାୟା’’ ଗୀତର ଶୂନ୍ୟସ୍ଥାନ ଆଧୁନିକ ଗୀତରେ ପରିପୂର୍ଣ୍ଣ ହେବା ଏବଂ ଗାଁ ଗହଳିରେ ଥଟ୍ଟା-ମଜା, ମଉଜ-ମଜଲିସ ଏବେ ଗହଳିପୂର୍ଣ୍ଣ ସପିଙ୍ଗ ମଲ୍‌ର ସେହି ନିର୍ଜନ କ୍ୟାଫେରେ ଏକତ୍ର ବସିବାର ପ୍ରଥାରେ ପରିଣତ ହେବା ହୁଏତ ସମୟର ଗତିଶୀଳତା ମଧ୍ୟରେ ପରିବର୍ତ୍ତନର ମାର୍ଗ ଭଳି ପ୍ରତୀୟମାନ ହୁଏ, କିନ୍ତୁ ଏହା ନିଶ୍ଚିତ ଭାବରେ ଓଡିଆ ମନକୁ ଆନ୍ଦୋଳିତ କରେ। ଏହାର ଆବଶ୍ୟକତା, ଯଥାର୍ଥତା ଏବଂ ଉପାଦେୟତା ଓଡ଼ିଆ ମନରେ ବିରୋଧାଭାସର ଭାବନାକୁ ମଧ୍ୟ ଜାଗରଣ କରିଥାଏ । ତେଣୁ ମନର ଏହି ଆନ୍ଦୋଳନ ଏବଂ ବିରୋଧାଭାସର ଦୋଛକିରେ ଓଡ଼ିଆ ପ୍ରୀତିକୁ ପୁନର୍ଜୀବିତ କରିବାର କଳ୍ପନାରେ ପରିକଳ୍ପିତ ହୋଇଥିଲା – “ଓଡ଼ିଆ ପକ୍ଷ”। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉଦ୍ୟମରେ ଆରମ୍ଭ ହୋଇଥିଲା ଓଡ଼ିଶା, ଓଡ଼ିଆ ଭାଷା ଏବଂ ଓଡ଼ିଆ ସଂସ୍କୃତିକୁ ନେଇ ଉତ୍ସବମୁଖର ହେବାର ଏହି ମହାର୍ଘ ଅବସର। ସାରା ରାଜ୍ୟରେ ପ୍ରଥମ ଥର ପାଇଁ ଏପ୍ରିଲ ମାସର ପହିଲା ପକ୍ଷକୁ ଓଡ଼ିଆ ପକ୍ଷ ଭାବେ ପାଳନ କରିଲେ ଓଡ଼ିଶାବାସୀ।

ଓଡ଼ିଆ ପକ୍ଷ ପାଳନର ପ୍ରତ୍ୟେକ ଦିବସ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆଧାରିତ ହୋଇଥିଲା। ସ୍ୱତନ୍ତ୍ର ପ୍ରଦେଶ ଭାବରେ ଓଡ଼ିଶାର ପ୍ରତିଷ୍ଠା ନିମନ୍ତେ ‘‘ଓଡ଼ିଶା ଦିବସ’’, ବିଦ୍ୟା ଅୟମାରମ୍ଭ ନିମନ୍ତେ ‘‘ଖଡ଼ିଛୁଆଁ ଉତ୍ସବ’’, ବୟନ ଅସ୍ମିତାର ମହାପର୍ବ ‘‘ଆମ ପୋଷାକ ଆମ ପରିଚୟ’’, ବ୍ୟାବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ନିମନ୍ତେ ‘‘ଓଡ଼ିଆ ନାମଫଳକ ସଚେତନତା ଅଭିଯାନ’’, ଓଡ଼ିଶାର ଗୌରବମୟ ଐତିହ୍ୟକୁ ବିଶ୍ୱବିଦିତ କରିବା ନିମନ୍ତେ ‘‘ଐତିହ୍ୟ ଗଣଦୌଡ଼’’, ଆମ ଦେବାଳୟ ଓ ଐତିହ୍ୟସ୍ଥଳୀଗୁଡ଼ିକରେ ‘‘ସ୍ୱଚ୍ଛତା ଅଭିଯାନ’’, ଭାଷା ଜ୍ଞାନର ପ୍ରାରମ୍ଭିକ ପୁସ୍ତକ ‘‘ବର୍ଣ୍ଣବୋଧ ବଣ୍ଟନ ଉତ୍ସବ’’, ସ୍ବେଚ୍ଛାକୃତ ରକ୍ତଦାନ ନିମନ୍ତେ ‘‘ରକ୍ତଦାନ ଅଭିଯାନ’’ ପୁସ୍ତକ ପଠନକୁ ଲୋକପ୍ରିୟ କରିବା ପାଇଁ ‘‘ଆସ ବହିଟିଏ କିଣିବା ଅଭିଯାନ’’, ଆମ ସମୃଦ୍ଧ ଲୋକକଳା ପାଇଁ ‘‘ଲୋକକଳା ପାଇଁ ଦିନଟିଏ’’, ସାହିତ୍ୟ ସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ‘‘ଯୁବ ଲେଖକ ସମ୍ମିଳନୀ’’, ଓଡ଼ିଶାର ବନ୍ଦନୀୟ ବରପୁତ୍ରଙ୍କ ପାଇଁ ‘‘ବରପୁତ୍ରଙ୍କ ଉପରେ ଆଲୋଚନାଚକ୍ର’’, ଓଡ଼ିଆ ଘରର ନଅ ତିଅଣ, ଛଅ ଭଜାର ପ୍ରଚାରପ୍ରସାର ପାଇଁ ‘‘ଆମ ରୁଚି ଆମ ଖାଦ୍ୟ’’ ଏବଂ ଶେଷରେ ଓଡ଼ିଆ ନବବର୍ଷକୁ ‘‘ଆମ ନବ ବର୍ଷ ଆମ ଗୌରବ’’ ଦିବସ ଭାବରେ ପାଳନ କରାଯାଇଥିଲା।

ଓଡ଼ିଆ ପକ୍ଷ ପାଳନର ପ୍ରତ୍ୟେକ ଦିବସ ନିଜକୁ ନିଜ ସହିତ ପୁନଃସମ୍ପର୍କିତ ଏବଂ ପୁନଃସଂଯୋଜିତ କରିବାର ଅବସର ପ୍ରଦାନ କରିଥିଲା। ଓଡ଼ିଆ ପକ୍ଷ ପାଳନର ପରିକଳ୍ପନା ସେତେବେଳେ ସଫଳ ହୋଇଥିଲା ଯେତେବେଳେ ସାଧାରଣ ଲୋକେ ଏହାକୁ ନିଜର ଭାବି ଏଥିରେ ସଂଶ୍ଲିଷ୍ଟ ହୋଇଥିଲେ। ଓଡ଼ିଆ ପକ୍ଷ ପାଳନ ପାଇଁ ନିର୍ମିତ ସ୍ୱତନ୍ତ୍ର ୱେବସାଇଟ୍‌ www.odiapakhya.comରେ ଓଡ଼ିଆ ପକ୍ଷ କୁଇଜ୍‌ରେ ଭାଗନେଇ ୩ଲକ୍ଷରୁ ଉର୍ଦ୍ଧ୍ୱ ଡିଜିଟାଲ ପ୍ରମାଣପତ୍ର ଡାଉନଲୋଡ଼ ହେବା, ୧ଲକ୍ଷରୁ ଉର୍ଦ୍ଧ୍ୱ ସେଲ୍ଫି ଅପଲୋଡ଼ ହେବା ଏବଂ ଓଡ଼ିଆ ପକ୍ଷ ପାଳନ ଅବସରରେ ନିର୍ମିତ ସଂଗୀତ ‘ମୁଁ ଓଡ଼ିଆ’କୁ ସାମାଜିକ ଗଣମାଧ୍ୟମରେ ବହୁ ମାତ୍ରାରେ ଭଲ ପାଇବା ମିଳିବା ଆଦି ଓଡ଼ିଶାବାସୀଙ୍କ ମଧ୍ୟରେ ଓଡ଼ିଆ ଭାଷା, ଓଡ଼ିଆ ଜାତି ପାଇଁ ରହିଥିବା ନିଚ୍ଛକ ଭଲ ପାଇବାକୁ ସୂଚାଇ ଥିଲା। ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆମାନଙ୍କ ମଧ୍ୟରେ ରହିଥିବା ଉତ୍ସାହ, ଆକାଂକ୍ଷା ଓ ଉଦ୍ଦୀପନା ଓଡ଼ିଆ ଜାତିର ଏକପ୍ରକାର ନବକଳେବର କରିପାରିଛି ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ମୁଁ ଏଥିପାଇଁ ମୋର ପ୍ରିୟ ଓଡ଼ିଶାବାସୀ ଏବଂ ଦୁନିଆର କୋଣଅନୁକୋଣରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ସହୃଦୟତାର ସହ ଧନ୍ୟବାଦ ଜ୍ଞାପନ କରୁଛି।

ଆଜି ଓଡ଼ିଆ ପକ୍ଷ ପାଳନର ସମାପନ ହୋଇଛି ସତ, କିନ୍ତୁ ମାତୃଭୂମି ଓଡ଼ିଶା ଓ ମାତୃଭାଷା ଓଡ଼ିଆକୁ ଭଲ ପାଇବା କେବେହେଲେ ସମୟଚକ୍ର ମଧ୍ୟରେ ଆବଦ୍ଧ ହୋଇ ନପାରେ। ଓଡ଼ିଆ ପକ୍ଷ ପାଳନ ସମାରୋହ ଆମକୁ ସୂଚାଇଦେଇଛି ଯେ ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଗଠନ ନିମନ୍ତେ ଓଡ଼ିଆ ସଂସ୍କୃତିର ପୁନଃଜାଗରଣ ହେବାର ଏକାନ୍ତ ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଜୀଙ୍କ ମିଶନ ପୂର୍ବୋଦୟ ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଭାଷା, ସାହିତ୍ୟ ଆଦିର ପ୍ରମୁଖ ଭୂମିକା ମଧ୍ୟ ରହିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ପାଳିତ ହୋଇଥିବା ଓଡ଼ିଆ ପକ୍ଷକୁ ଏକ ଜନ ସମାରୋହରେ ରୂପାନ୍ତରିତ କରିବାରେ ଆମ ଯୁବପିଢ଼ିଙ୍କ ଉଦ୍ୟମ ଆମକୁ ଆହୁରି ଓଡ଼ିଆମନସ୍କ ହେବା ପାଇଁ ପ୍ରେରଣା ଯୋଗାଇଛି। ତେବେ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସହିତ ସମ୍ପୃକ୍ତ ହେବାର ଏହି ଗତିକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ଆମ ଓଡ଼ିଆ ଅସ୍ମିତାକୁ ବିଶ୍ୱବିଦିତ କରିବା ପାଇଁ ସଂକଳ୍ପବଦ୍ଧ ହେବା।