ରୋଡ଼୍ ସଂଯୋଗୀକରଣରେ ଓଡ଼ିଶା ୧ ନମ୍ବର ହେବ, ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
ରୋଡ଼ ସଂଯୋଗୀକରଣରେ ଏକ ନମ୍ବର ହେବ ଓଡ଼ିଶା । ଗୁରୁବାର କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ଏହି ଅବସରରେ ଚାରି ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ସେଥିମଧ୍ୟରୁ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟି ଟଙ୍କାର ଶିଳାନ୍ୟାସ କରିବେ ନୀତିନ ଗଡ଼କରୀ । ଚାରୋଟି ସିଆରଆଇଏଫ ବ୍ରିଜ ୪୨୭ କୋଟି ଟଙ୍କାର ଶିଳାନ୍ୟାସ କରାଯିବ । ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କା, ଏହାର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ । ଚଳିତ ବର୍ଷ ଓଡ଼ିଶା ସରକାର ୨୮ ହଜାର କୋଟିର ଅନୁଦାନ ଦାବି କରିଥିବା ବେଳେ ୯ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିପାରନ୍ତି କେନ୍ଦ୍ରମନ୍ତ୍ରୀ।
ରୋଡ଼ ସଂଯୋଗୀକରଣରେ ଓଡ଼ିଶା ୮ ନମ୍ବରରୁ ୧ ନମ୍ବର ହେବ । ଭୁବନେଶ୍ୱରରୁ ପୁରୀ, ମେରାଇନ ଡ୍ରାଇଭ ରୋଡ଼, ପୁରୀରୁ ସାତପଡ଼ା ରାସ୍ତାର ପ୍ରଶସ୍ତିକରଣ ସହ କିଛି ୪ ଲେନକୁ ୬ ଲେନ କରିବାକୁ ପ୍ରସ୍ତାବ ଅଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ଚିଠି ମାଧ୍ୟମରେ ଏସବୁ ପ୍ରକଳ୍ପ ନେଇ ଜଣାଇଛନ୍ତି । ଉପକୂଳ ରାଜପଥ ଆର୍ଥିକ ଅନୁମତି ମିଳିଛି । କିନ୍ତୁ ପ୍ରଶାସନିକ ଅନୁମତି ମିଳି ନଥିବାରୁ ଟେଣ୍ଡର ବିଳମ୍ବ ହେଉଛି । ଉପକୂକ ରାଜପଥ ଏବଂ କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼ ଏହି ଦୁଇଟି ରାସ୍ତା ଖୁବଶୀଘ୍ର ଆରମ୍ଭ ହେବ ବୋଲି ପୃଥ୍ବୀରାଜ କହିଛନ୍ତି ।