ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ନୂଆନନ୍ଦ ପଞ୍ଚାୟତ ବଡ଼ହାଟୁଆରି ଗାଁରେ ଗତକାଲି ସନ୍ଧ୍ୟାରେ ପାଟୁଆ ନାଚ ବେଳେ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳିବା ସହ ୧୦ଜଣ ଗୁରୁତର ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଡିଜେ ଗାଡ଼ିରେ ନିଆଁ ଲାଗିଯିବାରୁ ଅଘଟଣ ଘଟିଥିଲା । ତଦନ୍ତ ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେଣେ ଘଟଣା ସଂପର୍କରେ ସୂଚନା ପାଇ ଭଦ୍ରକ ଜିଲ୍ଲାପାଳ, ଏସପି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସହ ବରିଷ୍ଠ ଅଧିକାରୀ ଭଦ୍ରକ ମେଡିକାଲରେ ପହଞ୍ଚିଥିଲେ । ବିନା ଅନୁମତିରେ ଡିଜେ ବାଜୁଥିବା ବେଳେ ତିହିଡି ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ନାହିଁ , ଯାହାଫଳରେ ଏତେ ବଡ଼ ଅଘଟଣ ଘଟିଲା ବୋଲି ପ୍ରଶ୍ନ ଉଠିଛି।