Odia News Portal

କିଡନୀ ପାଇଁ ଶିଶୁ ଚୋରି

ଭୁବନେଶ୍ୱର ଶିଶୁ ଚୋରି ଘଟଣାରେ ନୂଆ ମୋଡ । ଖନ୍ତାପଡ଼ା ଥାନାରେ ମହିଳାଙ୍କୁ ପଚରାଉଚରା ବେଳେ ସାଂଘାତିକ ସତ ସାମ୍ନାକୁ ଆସିଛି । ଶୁପାରି ଦେଇ ଶିଶୁକୁ ଅପହରଣ କରାଇଥିଲେ ମହିଳା । ଏହା ପଛରେ ଥିଲା ବଡ ଷଡଯନ୍ତ୍ର । ନିଜ ଛୁଆ ଦେହରେ କିଡନୀ ଲଗାଇବା ପାଇଁ ଆଉ ଜଣେ ମାଆଙ୍କ କୋଳରୁ ଶିଶୁ ଚୋରି କରିଥିଲା ମହିଳା । ନିଜ ପିଲାର କିଡନୀ ଖରାପ ଥିଲା, ତେଣୁ ନିଜ ପିଲାକୁ ବଞ୍ଚାଇବାକୁ ଯାଇ ଶିଶୁ ଚୋରି ପାଇଁ ସୁପାରି ଦେଇଥିଲା ମହିଳା ଜଣକ । ତେବେ ଶିଶୁ ଚୋରି କରିଥିବା ଯୁବକ ଏବେଯାଏ ଫେରାର ଥିବା ସୂଚନାରୁ ଜଣାପଡିଛି ।

ଭୁବନେଶ୍ବରରେ ଚୋରି ହୋଇଥିଲା ଶିଶୁପୁତ୍ର ବାଲେଶ୍ବରରୁ ଉଦ୍ଧାର ହୋଇଛି । ଖନ୍ତାପଡ଼ାରୁ ଶିଶୁକୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ । ଶନିବାର ରାତିରେ ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ମା’ କୋଳରୁ ଦେଢବର୍ଷର ଶିଶୁପୁତ୍ର ଅପହରଣ କରିଥିଲା ଦୁର୍ବୃତ୍ତ । ସିସିଟିଭିରେ ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍‌ ଭିତରକୁ ଯାଇଥିବା ଦେଖିବାକୁ ମିଳିଥିଲା । ଅପହରଣକାରୀଙ୍କ ପାଖରେ ପହଞ୍ଚିବା ପାଇଁ ୫ଟି ଟିମ୍ ଗଠନ କରିଥିଲା କମିଶନରେଟ୍ ପୋଲିସ । ଶେଷରେ ବାଲେଶ୍ବରରୁ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ ।