Odia News Portal

ନବୀନ ଦଳରେ ଦାୟ ନା ପାଣ୍ଡିଆନରେ ଦାୟ? ନିଷ୍ପତ୍ତି ନେବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ନବୀନ?

ୱାକଫ୍ ବିବାଦକୁ ନେଇ ବିଜେଡି ଏବେ ଦି’ ଫାଳ । ଏଭଳି ସ୍ଥିତିରେ ନବୀନ ଦୋଛକିରେ ପଡିଥିବାବେଳେ ଦଳୀୟ ନେତାଙ୍କୁ ମନାଇବା ପରିବର୍ତ୍ତେ ତୁଣ୍ଡରେ ତାଲା ଦେବାକୁ ନବୀନ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଏଭଳି କରି କାହାକୁ ସୁରକ୍ଷା ଦେଉଛନ୍ତି ନବୀନ? ଆଗକୁ ଏହା ବିଜେଡି ପାଇଁ ବୁମେରାଂ ହେବନି ତ?

  • ନବୀନ ଦଳରେ ଦାୟ ନା ପାଣ୍ଡିଆନରେ ଦାୟ?
  • ନିଷ୍ପତ୍ତି ନେବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ନବୀନ?

ଦୀର୍ଘ ୬ ଦିନ ଧରି ବିଜେଡି ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ୱାକଫ୍ ବିବାଦ ପରେ ପାଣ୍ଡିଆନଙ୍କୁ କେନ୍ଦ୍ର କରି କେତେବେଳେ ସିନିୟର ନବୀନଙ୍କ ନିକଟରେ ଫେରାଦ ହେଉଛନ୍ତି ତ, ପୁଣି କେତେବେଳେ ଜୁନିୟର ମେଳି କରି ବିଜେଡି କନ୍ଦଳକୁ ପଦାରେ ପକାଉଛନ୍ତି । 

ଦଳର ବରିଷ୍ଠ ତଥା ପ୍ରତିଷ୍ଠାତା ସଦସ୍ୟ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ରଙ୍କ ଭଳି ଅନେକ ନେତା ଆଜି ନବୀନ ନିବାସରେ ଦୀର୍ଘ ୨ ଘଣ୍ଟା ଧରି ଦଳ ମୁଖିଆଙ୍କ ସହ ଆଲୋଚନା କରିଛନ୍ତି । ୱାକଫ୍ ବିବାଦ ଦଳକୁ ଡ୍ୟାମେଜ କରୁଥିବା ଅଭିଯୋଗ କରିଛନ୍ତି । ଏଯାଏଁ କାହିଁକି କୌଣସି ନିଷ୍ପତ୍ତି ନେଉନାହାନ୍ତି ନବୀନ? ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ସାଂସଦଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲା? ବୋଲି ବରିଷ୍ଠ ମାନେ ପ୍ରଶ୍ନ କରିଥିବା ସୂଚନା ମିଳିଛି । 

ଏସବୁ ଭିତରେ ବିଜେଡିର ୟଙ୍ଗ ବ୍ରିଗେଡ, ଅଂଶୁମାନ ମହାନ୍ତିଙ୍କ ଘରେ କବାଟକିଳା ବୈଠକ କରିଛନ୍ତି । ଯାହା ବିଜେଡି ରାଜନୀତିକୁ ଆହୁରି ରୋଚକ କରିଛି ।

ବିଜେଡିରେ ସବୁକିଛି ଠିକ୍ ଚାଲିନଥିଲେ ମଧ୍ୟ ନବୀନ କିନ୍ତୁ ଏବେ ବି ନୀରବ । ଚର୍ଚ୍ଚା ହେଉଛି, ବରିଷ୍ଠ ନେତାଙ୍କୁ ତୁଣ୍ଡରେ ଲଗାମ ଦେବାକୁ କହି ପାଣ୍ଡିଆନଙ୍କ ସୁରକ୍ଷା ଢାଲ ସାଜିଛନ୍ତି ନବୀନ । ଯାହା ବିଜେଡି ରାଜନୀତିକୁ ଆହୁରି ଗୋଳିଆ କରିଛି । ତେବେ ନବୀନ କଣ ନିଷ୍ପତ୍ତି ନେବେ ତାହା ଉପରେ ବିଜେଡିର ଭବିଷ୍ୟତ ନିର୍ଭର କରୁଛି । କାରଣ ଏବେ ପାଣ୍ଡିଆନଙ୍କୁ ନେତା ଦୁଇ ଭାଗ ହୋଇଯାଇଛନ୍ତି । ତେଣୁ ନବୀନ ଦଳ ବଞ୍ଚାଇବେ ନା ପାଣ୍ଡିଆନଙ୍କୁ ସୁରକ୍ଷା ଦେବେ ତାହା ସବୁଠୁ ବଡ ପ୍ରଶ୍ନ ।