ସେପଟେ ପାଣ୍ଡିଆନଙ୍କ ପାଇଁ ଦିଫାଳ ହୋଇଛି ବିଜେଡି । ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କରିଥିଲେ ଦେବାଶିଷ ସାମନ୍ତରାୟ । ଆଜି ଦେବାଶିଷଙ୍କୁ ଟାର୍ଗେଟ କରି ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ରାଜ୍ୟସଭାର ୩ ସାଂସଦମାନସ ମଙ୍ଗରାଜ, ସୁଲତା ଦେଓ ଓ ନିରଞ୍ଜନ ବିଶି । ଆଉ ଏହା ବିଜେଡିରେ ଅସନ୍ତୋଷ ବଢାଇଥିବାବେଳେ ରାଜ୍ୟ ରାଜନୀତିକୁ ସରଗରମ କରିଛି ।
ୱାକଫ ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ ବିଜେଡିର ୟୁଟର୍ଣ୍ଣ ଦଳ ପାଇଁ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି । ବର୍ଷ ବର୍ଷ ଧରି ବିଜେଡିକୁ ଭୋଟ ଦେଇ ଆସୁଥିବା ମୁସଲିମ ଭୋଟ୍ ଚାଲିଯିବା ଆଶଙ୍କା କରି ବରିଷ୍ଠ ନେତାମାନେ ବିଷୋଦଗାର କରୁଛନ୍ତି । ସସ୍ମିତଙ୍କୁ ନିର୍ଦ୍ଦେଶ ଦେବା ପଛରେ କିଏ ବୋଲି ଦଳ ମୁଖିଆଙ୍କୁ ସିଧାସଳଖ ପ୍ରଶ୍ନ କରୁଛନ୍ତି । ଏହାରି ଭିତରେ କହୁ କହୁ ସତ ମାନି ଯାଇଛନ୍ତି ବରିଷ୍ଠ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ଏତେ ବଡ ବିବାଦ ପାଇଁ ସସ୍ମିତଙ୍କୁ କ୍ଲିନଚିଟ୍ ଦେଇ ପ୍ରଛଦପଟରେ ଥିବା ଭି.କେ. ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ।
ଦେବାଶିଷ ଗଣମାଧ୍ୟମରେ ପାଣ୍ଡିଆନଙ୍କ ନାଁ ନେବା ପରେ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଦଳର ଅନ୍ୟ ସାଂସଦ । ତିନି ଦିନ ହେଲା ବିଜେଡି ଶିବିର କମ୍ପୁଥିବାବେଳେ ଚୁପଥିବା ସାଂସଦମାନେ ହଠାତ ସାମନାକୁ ଆସିଛନ୍ତି । ୱାକଅଫ୍ ବିଲ ପ୍ରସଙ୍ଗରେ କିଛି ନକହି, ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି
ସାଂସଦ ମାନସ ମଙ୍ଗରାଜ, ସୁଲତା, ନିରଞ୍ଜନ ବିଶି ଓ ଶୁଭାଶିଷ୍ । ନିରଞ୍ଜନ କହିଛନ୍ତି, କିଛି ଅଭିସନ୍ଧି ରଖି ଦେବାଶିଷ ଏ କଥା କହୁଛନ୍ତି । ମାନସ ମଙ୍ଗରାଜ କହିଛନ୍ତି , ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇସାରିଛନ୍ତି । ତେଣୁ ଟାଙ୍କୁ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ । ସୁଲତା ଦେଓ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ପୁରୁଣା ରାଗ ସୁଝାଉଛନ୍ତି ଦେବାଶିଷ । ଶୁଭାଶିଷ ଖୁଣ୍ଟିଆ ବି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ।
ବରିଷ୍ଠ କରୁଛନ୍ତି ବିସ୍ଫୋରଣ
ଭାଙ୍ଗିଯିବ କି ବିଜେଡି ?
ଗୋଟିଏ ପଟେ ଦଳର ମୁସଲମାନ ସମ୍ପ୍ରଦାୟ ଭିତରେ ଦଳୀୟ ଭାବମୂର୍ତିକୁ ବଂଚାଇ ରଖିବା ପାଇଁ ଲାଗିଛନ୍ତି ବରିଷ୍ଠ ନେତା । ଏଥିପାଇଁ ଜଣକ ପରେ ଜଣେ ବରିଷ୍ଠ ନେତା ଲଗାତାର ଭାବେ ଦଳରେ ଏବେ ବିସ୍ଫୋରଣ କରୁଛନ୍ତି । ତେବେ ତିନି ଦିନ ପରେ ସାମନାକୁ ଆସି ସଞ୍ଜୟ ଦାସବର୍ମା କହିଛନ୍ତି, ସୁପ୍ରିମୋ ସବୁ ଦେଖୁଛନ୍ତି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ । ଭୋଟିଂ ପୂର୍ବରୁ ବିରୋଧ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଭୋଟିଂ ବେଳେ ବିଜେଡି ପଲଟି ମାରିଦେଲା । ପ୍ରଶ୍ନ ଉଠୁଛି, ଏବେ ବିସ୍ଫୋରଣକୁ କେମିତି ରୋକିବେ ନବୀନ ? ‘ବିବେକ’ ଭୋଟ୍ ବିଜେଡି ପାଇଁ ଆଗକୁ ବୁମେରାଂ ହେବ କି? ମୁସଲମାନ ଭୋଟ୍ କଂଗ୍ରେସକୁ ଚାଲିଯିବନି ତ?