ନୂଆପଡ଼ା ଜିଲ୍ଲା କୁରେଶ୍ୱର ପଞ୍ଚାୟତରେ ଦୁର୍ନୀତି । ଭିଜିଲାନ୍ସ ଜାଲରେ ସରପଞ୍ଚଙ୍କ ଦୁଇ ପୁଅ । ବିନା କାମରେ ସାଢ଼େ ୭ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଆସିଛି । ସରପଞ୍ଚଙ୍କ ବଡ଼ପୁଅ ସତ୍ୟବ୍ରତ ବରାଳ ଓ ସାନପୁଅ ଉତ୍ତମ ବରାଳ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସରପଞ୍ଚ ବିଜୟଲକ୍ଷ୍ମୀ ବରାଳ ଏବଂ ପିଇଓ ବରୁଣ ଦାଶ ଗିରଫ ଭୟରେ ଫେରାର ଅଛନ୍ତି ।
କୋମନା ବ୍ଳକ କୁରେଶ୍ବର ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାମରେ ଲକ୍ଷାଧିକ ଟଙ୍କା ହରିଲୁଟ୍ ହୋଇଥିବା ସ୍ପଷ୍ଟ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ କୁରେଶ୍ବର ଗ୍ରାମୀଣ ପାର୍କ ନିର୍ମାଣ, ଷ୍ଟ୍ରିଟ୍ ଲାଇଟ୍ ମରାମତି, ଆବର୍ଜନା ପରିଚାଳନା ଓ ଘୋଟସରରେ ହାଇମାଷ୍ଟ ଲାଇଟ୍ ସ୍ଥାପନ ବାବଦରେ ୭ଲକ୍ଷ ୬୧ ହଜାର ଟଙ୍କା ହେରଫେର ଅଭିଯୋଗ ହୋଇଥିଲା । ସେହି ସମୟରେ ସରପଞ୍ଚଙ୍କ ବଡ଼ପୁଅ ସତ୍ୟବ୍ରତ, ସିନାପାଲି ବ୍ଳକ ଘୁଚାଗୁଡ଼ା ପିଇଓ ଭାବେ କାର୍ଯ୍ୟରତ ଥିଲେ । କିନ୍ତୁ କୁରେଶ୍ଵର ପଞ୍ଚାୟତର ଉନ୍ନୟନମୂଳକ କାମରେ ହସ୍ତକ୍ଷେପ କରି ସରକାରୀ ଅନୁଦାନ ହେରଫେର କରିଥିଲେ ।
ଗତ ଜାନୁୟାରୀ ୨ରେ ଜିଲ୍ଲା ପରିଷଦ ଏପିଡି ଯୋଗେଶ୍ଵର ଭୋଇଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ଏକ ଟିମ୍ ଘଟଣାର ତଦନ୍ତ କରିଥିଲା । ଫେବୃୟାରୀ ୨ରେ ନୂଆପଡ଼ା ଜିଲ୍ଲାପାଳ, ପିଇଓ ସତ୍ୟବ୍ରତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଭବାନୀପାଟଣା ଓ ନୂଆପଡ଼ା ଭିଜିଲାନ୍ସ ଟିମ୍ ସରପଞ୍ଚଙ୍କ ଦୁଇପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।