‘ସୁଭଦ୍ରା’ ପାଇଁ ବ୍ୟାଙ୍କରେ ଦୁଇ ଦିନିଆ ସ୍ବତନ୍ତ୍ର ବ୍ୟବସ୍ଥା: ୩ଲକ୍ଷରୁ ଅଧିକ ଆବେଦନକାରୀଙ୍କ ବିଫଳ ହୋଇଛି ଏନ୍ପିସିଆଇ
ଯେଉଁ ‘ସୁଭଦ୍ରା’ ଆବେଦନକାରୀଙ୍କ ଏନ୍ପିସିଆଇ ଫେଲ୍ ହୋଇଛି ସେମାନଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଆସନ୍ତାକାଲି ଓ ୩୦ତାରିଖରେ ଯେଉଁମାନଙ୍କୁ ବ୍ୟାଙ୍କରୁ କଲ୍ କିମ୍ବା ମେସେଜ୍ ଆସିଛି ସେମାନେ ବ୍ୟାଙ୍କକୁ ଯାଇ ସେମାନଙ୍କର ଏନ୍ପିସିଆଇକୁ ପୁନର୍ବାର ଆକ୍ଟିଭ୍ ବା ସକ୍ରିୟ କରିବା ଲାଗି ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ‘ସୁଭଦ୍ରା’ରେ ୧କୋଟି ୭ଲକ୍ଷ ୨୩ହଜାର ୨୯୪ଜଣ ପଞ୍ଜୀକରଣ କରିଛନ୍ତି। ତହିଁରୁ ୮୦ଲକ୍ଷ ୨୯ହଜାର ୭୪୧ଜଣଙ୍କୁ ସହାୟତା ଦିଆଯାଇଛି। ୩ଲକ୍ଷ ୩୧ହଜାର ୧୮୮ଜଣଙ୍କ ଏନ୍ପିସିଆଇ ଫେଲ୍ ହୋଇଛି। ଏମାନେ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ଚତୁର୍ଥ ପର୍ଯ୍ୟାୟ କିସ୍ତି ଦିଆଯିବା ପୂର୍ବରୁ ସେମାନଙ୍କୁ ଶେଷ ସୁଯୋଗ ଦେବାକୁ ସରକାର ଚାହୁଁଛନ୍ତି। ଗତାକାଲି ବ୍ୟାଙ୍କର୍ସମାନଙ୍କ ସହ ସରକାରଙ୍କ ଆଲୋଚନା ହୋଇଥିଲା। ଜାନୁଆରି ୨୯ ଓ ୩୦ତାରିଖରେ ସ୍ବତନ୍ତ୍ର ଭାବେ ‘ସୁଭଦ୍ରା’ଏନ୍ପିସିଆଇ ଫେଲ୍ ହୋଇଥିବା ହିତାଧିକାରୀଙ୍କ ଡ୍ରାଇଭ୍ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହାୟତା ପାଇଁ ମିସନ ଶକ୍ତିର ବ୍ୟାଙ୍କ ମିତ୍ରମାନେ ବ୍ୟାଙ୍କରେ ଉପସ୍ଥିତ ରହିବେ। ସେହିପରି ୧ଲକ୍ଷ ୫୫ହଜାର ୧୫୮ଜଣ ଆବେଦନକାରୀ ନିଜର ଇ-କେୱାଇସି କରିନାହାନ୍ତି। ତେଣୁ ବାୟୋମେଟ୍ରିକ ଯାଞ୍ଚ ସହ ଏନ୍ପିସିଆଇ ଫେଲ୍ ପାଇଁ ହିତାଧିକାରୀଙ୍କୁ ବ୍ୟାଙ୍କକୁ ଯିବାକୁ ହେବ। ଯେଉଁମାନେ ଇ-କେୱାଇସି କରିବେ ସେମାନଙ୍କୁ ସହାୟତା ରାଶି ମିଳିବ। ସେହିପରି ଯୋଜନାରୁ ୩୧ହଜାର ୬୯୨ ଅପ୍ଟଆଉଟ୍ ହୋଇଯାଇଥିଲେ, ତହିଁରୁ ୧୭ହଜାର ୪୪୮ଜଣ ଅପ୍ଟଇନ୍ ହୋଇଥିବା ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି। ଅପରପକ୍ଷରେ ଆସନ୍ତା ମାର୍ଚ୍ଚ ୮ତାରିଖରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ହିତାଧିକାରୀଙ୍କୁ ଟଙ୍କା ମିଳିସାରିଛି।