ଦିନକୁ ଦିନ ବଢିବାକୁ ଲାଗିଛି କୁହୁଡିର ମାତ୍ର, କୁହୁଡା ପାଇଁ ଚିନ୍ତାରେ ପଡିଛନ୍ତି ପରିବା ଚାଷୀ । ପୋଡିଯାଉଛି ପରିବାଗଛର ପତ୍ର ଓ ଫୁଲ ଏବଂ ନଷ୍ଟ ହୋଇ ପଚିଯାଉଛି ଏକର ଏକରଚାଷଜମିର ପରିବା ।
ଫୁଲକୋବି ଠୁ ଆରମ୍ଭ କରି ବାଇଗଣ, ଜହ୍ନି, କଲରା, କାକୁଡି, ବନ୍ଧାକୋବି ଭଳି ପରିବା ଫସଲ ପାଇଁ କାଳ ପାଲଟିଛି ଘନ କୁହୁଡ଼ି । ୪ ଦିନ ହେଲା ନୀଳଗିରି ଅଞ୍ଚଳରେ କୁହୁଡ଼ି ମାତ୍ରା ବଢୁଥିବାରୁ ସାଧାରଣ ଲୋକଙ୍କ ସମେତ ପନିପରିବା ଚାଷୀ କଲବଲ ହେଉଛନ୍ତି । ଚଳିତ ବର୍ଷ ପାଣିପାଗ ଭଲଥିବାରୁ ଭଲ ଚାଷ ହୋଇଥିଲା । କିନ୍ତୁ କିଛି ଦିନ ହେବ କୁହୁଡ଼ି ମାତ୍ରା ବଢିବାରୁ ପରିବା ଚାଷୀଙ୍କ ମେରୁଦଣ୍ଡ ଦୋହଲିଯାଇଛି । ପରିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ନୀଳଗିରି ବ୍ଲକ ଜଗନ୍ନାଥପୁର ଅଞ୍ଚଳରେ ଏକର ଏକର ପରିବା ଚାଷ ଏବେ ନଷ୍ଟହେବାକୁ ବସିଲାଣି । ଭୋର ୩ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗିରହୁଛି । ଫଳରେ ଫୁଲକୋବି ଗୁଡିକର ପତ୍ର ପୋଡା ହେବା ସହ ଫୁଲଚାଷ ମଧ୍ୟ ନଷ୍ଟ ହୋଇଛି । ଯାହାକୁ ନେବା ପାଇଁ ଅମଙ୍ଗ ହେଉଛନ୍ତି ଗ୍ରାହକ ଓ ବେପାରୀ । କାକୁଡି, ଜହ୍ନି, କଲରା ଇତ୍ୟାଦି ଲତା ଜାତୀୟ ଗଛଗୁଡିକର ପତ୍ର ଝଡିଯାଉଛି । ଫଳ ଧରିବା ପୂବରୁ ଫୁଲ ଝଡ଼ିଯାଉଛି । ସେହିପରି ଏକର ଏକର ଜମିରେ ହୋଇଥିବା ତରଭୁଜ ଚାଷ ନଷ୍ଟ ହେବାକୁ ଲାଗିଲାଣି । ଭେଣ୍ଡି ଓ ବାଇଗଣ ଗଛଗୁଡିକର ମୂଳ ମଧ୍ୟ ପଚିଗଲାଣି ।
ଚାଷ ଉପରେ ନିର୍ଭର କରୁଥିବା ଚାଷୀ ମାନେ ଏବେ ହତାଶ ହୋଇପଡିଛନ୍ତି । କୁହୁଡା କାରଣରୁ ଚାଷ ନଷ୍ଟ ହେଉଥିବାରୁ କିପରି ଋଣ ପରିଶୋଧ କରିବେ ଓ ପରିବାର ପ୍ରତିପୋଷଣ କରିବେ ତାହା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।