ହଂସିତା-ଅନିଲ ଗିରଫ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନିଲ । ଯୁବତୀ ଚାଲାଣ କରିଥିବା ନେଇ ତଥ୍ୟ ପାଇଛି ପୋଲିସ । ଏନେଇ ପୋଲିସ ଖୋଳତାଡ଼ କରିବ ।
ହଂସିତା-ଅନିଲଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ପୋଲିସ ଆବେଦନ କରିବ । ଜେଏମ୍ଏଫ୍ସି କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି । ରିମାଣ୍ଡ ସମୟରେ ହଂସିତାଙ୍କ ଯୁବତୀ ଚାଲାଣ ଲିଙ୍କ୍ ଖୋଲିବ ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଝାଡ଼ଖଣ୍ଡରୁ କଲ୍ଗର୍ଲ ଆଣି କାହାକୁ ଯୋଗାଇଥିଲେ ହଂସିତା ତାର ଛାନଭିନ କରିବ କମିଶନରେଟ୍ ପୋଲିସ ।
କିଛିଦିନ ପୂର୍ବରୁ ହଂସିତାଙ୍କ ନାଁରେ ଦ୍ବିତୀୟ ମାମଲା ରୁଜୁ କଲା ଇନଫୋସିଟି ଥାନା ପୋଲିସ । ୨୦୨୩ରେ ହଂସିତା ଅଭିଲିପ୍ସା ନାଁରେ ବାହାର କରିଥିଲେ ପାସପୋର୍ଟ । ୨୦୧୬ ମସିହାରେ ବଡ଼ଗଡ଼ ଥାନାରେ ହୋଇଥିବା କେସ୍ରେ ନିଜର ନାଁ ବିଷ୍ଣୁପ୍ରିୟା ଚାନ୍ଦ ବୋଲି କହିଥିଲେ । ଠକେଇ କେସ୍ରେ ଇନଫୋସିଟି ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ମାମଲା ନେଇ ଭୁବନେଶ୍ୱର JMFC କୋର୍ଟଙ୍କୁ ଅବଗତ କରାଇଲା ପୋଲିସ । ଏହି ମାମଲାରେ JMFC କୋର୍ଟରେ ହାଜର ହୋଇଥିଲେ ହଂସିତା ।
ସୂଚନାଯୋଗ୍ୟ ଯେ, ହଂସିତା ଓ ଅନିଲ ଗତ ୩ ବର୍ଷରେ ୧୨୦ କୋଟି ଟଙ୍କାର କାରବାର କରିଛନ୍ତି । ସେଥିରୁ ୬୦ କୋଟି ଟଙ୍କାର କାରବାରରେ ଟିକସ ସମ୍ପର୍କରେ ଅନିଲ ଓ ହଂସିତା ତଥ୍ୟ ଦେଇ ପାରୁନାହାନ୍ତି । ଦୁଇ ମହାଠକଙ୍କୁ ଟଙ୍କା କାରବାରର ହିସାବ ମାଗିଛି ଆୟକର ବିଭାଗ । ଏହି ବେନାମୀ ଟଙ୍କା କାରବାର ପଛରେ ବହୁ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବିଶେଷ କରି ହଂସିତାଙ୍କ ଦ୍ଵିତୀୟ ସ୍ବାମୀ ନିକଟରୁ ଅନେକ ସମ୍ପତ୍ତି ମିଳିଛି । ସୁନାଗହଣା, ହୀରା ଅଳଙ୍କାର, ନଗଦ ଟଙ୍କା, ଅଚଳାଚଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ମିଳିଥିବା ବେନାମୀ ସମ୍ପତ୍ତିର ଆକଳନ କରୁଛି ବିଭାଗ ।
ପୋଲିସ ହାତରେ ଲାଗିଥିବା ନାମୀଦାମୀ ଗାଡି ଗୁଡିକୁ ବିକ୍ରି ପାଇଁ ରେଜିଷ୍ଟ୍ରେସନ ନ କରିବା ପାଇଁ ଆରଟିଓ ଆୟକର ବିଭାଗଙ୍କୁ ଚିଠି ଲେଖିଛି । ହଂସିତା ଓ ଅନିଲଙ୍କ ପୋର୍ସେ, ଜାଗୁଆର୍ ଓ ମର୍ସିଡିଜ୍ ଭଳି ଦାମୀ କାର୍ ଜବତ କରି ଭୁବନେଶ୍ୱରରେ ପୋଲିସ ସେବା ଭବନରେ ରଖିଛି ।