ଗୁରୁବାର ଭାରତମାତାର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ । ଏହି ଅବସରରେ ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମକୁ ମନେ ପକାଉଛି ସମଗ୍ର ଦେଶ । କଟକ ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ପାଳିତ ହୋଇଯାଇଛି ଜୟନ୍ତୀ ସମାରୋହ । ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ସହରରେ ନେତାଜୀ ଜନ୍ମ ଗ୍ରହଣ କରିଥିଲେ ।
ତାଙ୍କ ପିତାଙ୍କ ନାଁ ଥିଲା ଜାନକୀନାଥ ବୋଷ, ମା’ଙ୍କ ନାଁ ଥିଲା ପ୍ରଭାବତୀ ଦେବୀ । କଟକ ଓଡ଼ିଆ ବଜାର ଜାନକୀନାଥ ଭବନରେ ନେତାଜୀଙ୍କ ପିଲାବେଳ କଟିଥିଲା । ଏହାପରେ ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ବ୍ରିଟିଶ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ ନେତାଜୀ । ଏମିତିକି ଆଜାଦ୍ ହିନ୍ଦ୍ ଫୌଜ ଗଠନ କରି ବ୍ରିଟିଶ୍ ସରକାରଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।
ଏହି ମହାନ୍ ସ୍ଵାଧୀନତା ସଂଗ୍ରାମୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଏଠାରେ ହଜାର ହଜାର ସଂଖ୍ୟାରେ ନେତାଜୀପ୍ରେମୀ ମାନଙ୍କ ସମାଗମ ଲାଗିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତାଜୀଙ୍କ ଜନ୍ମସ୍ଥାନରେ ପହଞ୍ଚି ପତାକା ଉତ୍ତୋଳନ କରିବା ସହିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଜନ୍ମସ୍ଥାନ ବୁଲି ଦେଖିବା ସହ ଚିତ୍ରାଙ୍କନ ପ୍ରତିଯୋଗିତ ମଧ୍ୟ ବୁଲି ଦେଖିଥିଲେ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କଟକ ସାଂସଦ, କଟକ ସଦର ବିଧାୟକ, ବାରବାଟୀ କଟକ ବିଧାୟିକା, ରାଜ୍ୟସଭା ସାଂସଦ, କଟକ ମେୟରଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି ମାନେ, ଅନେକ ରାଜନୈତିକ ବ୍ୟକ୍ତି ବିଶେଷ ମାନେ ଜନ୍ମସ୍ଥାନ ଆସିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ନେତାଜୀଙ୍କ ସେବେର ପରାକ୍ରମକୁ ମନେ ପକାଇଥିଲେ ।
ସେହିଭଳି କଟକ ସହରର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ସାମାଜିକ ସଂଗଠନ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଶୋଭାଯାତ୍ରାରେ ନେତାଜୀଙ୍କ ଜନ୍ମସ୍ଥାନରେ ଆସି ପହଞ୍ଚିଥିଲେ । ହଜାର ହଜାର ସଂଖ୍ୟାରେ ନେତାଜୀଙ୍କୁ ଭଲ ପାଉଥିବା ଲୋକଙ୍କ ଜୟ ହିନ୍ଦ୍ ଧ୍ଵନୀରେ ସମଗ୍ର ଓଡ଼ିଆ ବଜାର ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ସ୍କୁଲର ଅନେକ କୁନି କୁନି ଛାତ୍ରଛାତ୍ରୀ ମାନେ ନେତାଜୀଙ୍କ ସମେତ ଅନେକ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବେଶ ଧାରଣ କରିଥିଲେ । ନେତାଜୀଙ୍କ ସ୍ମୃତିରେ ସୁବାସ ସଂଗଠନ ପକ୍ଷରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଦେଶର ଏତେ ବଡ଼ ହସ୍ତୀ କଟକରେ ହିଁ ଜନ୍ମ ଗ୍ରହଣ କରିଥିଲେ ଯାହାକୁ ନେଇ ବେଶ୍ ଗର୍ବ ଅନୁଭବ କରନ୍ତି କଟକ ବାସିନ୍ଦା ଓ ଛାତ୍ରଛାତ୍ରୀ ମାନେ ।
ନେତାଜୀଙ୍କ ଭଳି ବ୍ୟକ୍ତିତ୍ଵ ସୃଷ୍ଟି ହେବା କଷ୍ଟକର କିନ୍ତୁ ନେତାଜୀଙ୍କ ଜୀବନୀ ଓ ପରାକ୍ରମ ବିଷୟ ଅଧ୍ୟୟନ କରି ଅନେକ ଯୁବପିଢ଼ି ନିଜର ଉଜ୍ଜ୍ବଳ ଭବିଷ୍ୟତ ତିଆରି କରିପାରିବେ ।