Odia News Portal

ଚଳିତ ବର୍ଷର ପ୍ରଥମ ମନ କି ବାତ୍ କାର୍ଯ୍ୟକ୍ରମ

 ଆଜି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୫ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି , ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ୧୧୮ ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  , ମନ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍‌ସାଇଟ୍ ଓ Newsonair ମୋବାଇଲ୍ App ରେ ଉପଲବ୍ଧ  ହୋଇଥାଏ , ଏହା ମଧ୍ୟ ଆକାଶବାଣୀ, DD News, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ସିଧାପ୍ରସାରଣ ହୋଇଥାଏ ।

ଚଳିତ ବର୍ଷର ଗଣତନ୍ତ୍ର ଦିବସ ବେଶ୍ ସ୍ୱତନ୍ତ୍ର ବୋଲି କହିଛନ୍ତି ମୋଦି । କାରଣ ଚଳିତ ବର୍ଷ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଦେଶ । ଚଳିତ ବର୍ଷ ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ହେବାକୁ ଯାଉଛି । ୨୫ ଜାନୁଆରୀରେ ନିର୍ବାଚନ ଆୟୋଗ ଗଠନ ହୋଇଥିଲା । ଯେଉଁଥିପାଇଁ ଏହି ଦିନଟିକୁ ‘ଜାତୀୟ ଭୋଟର ଦିବସ’ ଭାବେ ପାଳନ କରାଯାଉଛି ।

ଦେଶରେ ଯେତେବେଳେ ୧୯୫୧-୫୨ ମସିହାରେ ପ୍ରଥମ ଥର ନିର୍ବାଚନ ହୋଇଥିଲା, ସେତେବେଳେ କିଛି ଲୋକଙ୍କ ମନରେ ଆଶଙ୍କା ଥିଲା ଯେ, କଣ ଦେଶର ଲୋକତନ୍ତ୍ର ଜୀବିତ ରହିବ ? ଆମ ଦେଶର ଲୋକତନ୍ତ୍ର ସବୁ ଆଶଙ୍କାକୁ ଭୁଲ ସାବ୍ୟସ୍ତ କରି ଗଣତନ୍ତ୍ରର ଜନନୀର ପରିଚୟ ହାସଲ କରିଛି  । ଗତ ଦଶନ୍ଧୀରେ ଦେଶର ଗଣତନ୍ତ୍ର ସଶକ୍ତ ହୋଇଛି । ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ ହେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ  ।

ପ୍ରୟାଗରାଜ ମହାକୁମ୍ଭ ମେଳାକୁ ନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, “ପ୍ରୟାଗରାଜରେ ମହାକୁମ୍ଭ ମେଳାର ଆରମ୍ଭ ହୋଇଯାଇଛି । ସେଠାରେ ଜନ ସମୁଦ୍ର, ଅକଳ୍ପନୀୟ ଦୃଶ୍ୟ ଓ ସମାନତା- ସମନ୍ବୟର ଅସାଧାରଣ ମିଳନ ଦେଖିବାକୁ ମିଳିଛି ।  ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରାରେ କେଉଁଠି ବି ଭେଦଭାବ, ଜାତିବାଦ ଦେଖିବାକୁ ମିଳେନାହିଁ  ।  ଯେଉଁଥିପାଇଁ କୁମ୍ଭ ଏକତାର ମହାକୁମ୍ଭ ।  କୁମ୍ଭ ମେଳାର ଆୟୋଜନ ଆମକୁ ଏହା ଦର୍ଶାଇ ଥାଏ ଯେ, କିଭଳି ଆମ ପରମ୍ପରା ସମଗ୍ର ଭାରତକୁ ଏକସୁତ୍ରରେ ବାନ୍ଧି ରଖେ ।

ଆଉମଧ୍ୟ ୨୦୨୫ ଆରମ୍ଭରୁ ଭାରତ ଅନ୍ତରୀକ୍ଷ କ୍ଷେତ୍ରରେ ଅନେକ ଐତିହାସିକ ସଫଳତା ହାସଲ କରିଛି । ଭାରତର ସ୍ପେଶ-ଟେକ୍ ଷ୍ଟାର୍ଟଅପ ବାଙ୍ଗାଲୁରୁର ପିକ୍ସେଲ ଭାରତର ପ୍ରଥମ ନିଜ ସାଟେଲାଇଟ କନଷ୍ଟେଲେସନ- ଫାୟାରଫ୍ଲାଏ ସଫଳତା ଭାବେ ଲଞ୍ଚ କରିଥିଲା ।  କିଛି ଦିନ ପୂର୍ବେ ଆମ ବୈଜ୍ଞାନିକମାନେ ସାଟଲାଇଟର ସ୍ପେଶ ଡକିଂ କରାଇଛନ୍ତି । ଏହି ଟେକ୍ନିକ ଅନ୍ତରୀକ୍ଷରେ ସ୍ପେଶ ଷ୍ଟେସନ ପର୍ଯ୍ୟନ୍ତ ସପ୍ଲାଏ ପଠାଇବା ପାଇଁ ଓ କ୍ରିଉ ମିଶନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।  

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍‌’ରେ ଦେଶବାସୀଙ୍କୁ ନିଜର ମନର କଥା କୁହନ୍ତି । ଦେଶ ବିଦେଶରେ ଏହି ମାସିକ ରେଡିଓ କାର୍ଯ୍ୟକ୍ରମର ବହୁ ଲୋକପ୍ରିୟତା ରହିଛି । କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ୱଙ୍କ ବିଷୟରେ କହିଥାଆନ୍ତି ପ୍ରଧାନମନ୍ତ୍ରୀ । ମାସର ଶେଷ ରବିବାରରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ  ।